ପାକିସ୍ତାନକୁ ଲାଗିବ ବଡ ଝଟ୍‌କା : ସୀମାରେ ଘୂରିବ ଡ୍ରୋନ୍‌ କ୍ୟାମେରା

ନୂଆଦିଲ୍ଲୀ : ପାକିସ୍ତାନ ପକ୍ଷରୁ ଭାରତରେ ଡ୍ରୋନ୍‌ ମାଧ୍ୟମରେ ଆକ୍ରମଣ ସହ ଯୁଦ୍ଧ ସରଞ୍ଜାମ ପଠାଇବାକୁ ଚାଲିଛି ପ୍ରସ୍ତୁତି । ଆଉ ପାକିସ୍ତାନର ଏହି ଡ୍ରୋନ ପ୍ରକ୍ରିୟାକୁ ନିଷ୍କ୍ରିୟ କରିବା ପାଇଁ ବର୍ଡର ସିକ୍ୟୁରିଟି ଫୋର୍ସ ଏବେ ସୀମାରେ ମୋବାଇଲ ହଣ୍ଟିଙ୍ଗ ଟିମ ମୁତୟନ କରିବାକୁ ଯୋଜନା କରିଛି । ସୂଚନା ଅନୁଯାୟୀ ସୀମାରେ ୧୨ଟି ସ୍ଥାନରେ ଆଣ୍ଟି ଡ୍ରୋନ୍‌ ସିଷ୍ଟମ ଲାଗିବ । ଡ୍ରୋନ ଲାଗିବା ସହିତ ସୀମାରେ ମୋବାଇଲ ହିଣ୍ଟିଙ୍ଗ ଟିମ ମଧ୍ୟ ରହିବେ । ଏହି ମୋବାଇଲ ହଣ୍ଟିଙ୍ଗ ଟିମ ସୀମାରେ କୌଣସି ଡ୍ରୋନ ନଜର ଆସିଲେ ଏସବୁ ଧ୍ୱଂସ କରିଦେବ । ନୂଆ ଆଣ୍ଟି ଡ୍ରୋନ୍‌ ସିଷ୍ଟମରେ ଜାମର ଓ ସେନ୍ସର ମଧ୍ୟ ଲାଗିବ । ଏଥିପାଇଁ ଏଣିକି ବିଏସଏଫରେ ଏକ ସ୍ୱତନ୍ତ୍ର ବୈଷୟିକ ଟିମ ରହିବ ।
ନିକଟରେ ଭାରତୀୟ ଗୁପ୍ତଚର ସଂସ୍ଥା ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ଏବଂ ପାକ୍‌ ରେଞ୍ଜର୍ସଙ୍କ ଏକ ଚ୍ୟାଟକୁ ଡିକୋଡ୍‌ କରିଥିଲେ । ଯେଉଁଥିରେ ଜଣାପଡ଼ିଥିଲା ଯେ ପାକିସ୍ତାନ, ଜାମ୍ମୁର ଅନ୍ତର୍ଜାତୀୟ ସୀମା କାଠୁଆ, ସାମ୍ବା ଏବଂ ହିରାନଗର ସେକ୍ଟରକୁ ଅସ୍ତ୍ରଶସ୍ତ୍ର ପଠାଇବା ପାଇଁ ଡ୍ରୋନ୍‌ ବ୍ୟବହାର କରୁଥିଲେ । ଏ ନେଇ ଭାରତୀୟ ସୁରକ୍ଷା ଏଜେନ୍ସି କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଅବଗତ କରାଇଥିଲା । ସୂଚନା ଅନୁଯାୟୀ, ପାକ୍‌ ରେଞ୍ଜର୍ସ ଶାକରଗଡ଼ରେ ଏକ ଡ୍ରୋନ୍‌ ଷ୍ଟେସନ୍‌ କରିଛି । ଯେଉଁଠାରୁ ଡ୍ରୋନ୍‌ ଜରିଆରେ ହତିଆର ଏବଂ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ତଦାରଖ ଏବଂ ଭାରତୀୟ ସୁରକ୍ଷା ବାହିନୀର ସ୍ଥିତି ଉପରେ ନଜର ରଖୁଛି । ତେବେ ପାକ୍ ଏହି ଷଡ଼ଯନ୍ତ୍ରକୁ ଭଣ୍ଡ କରିବାକୁ ଭାରତ ସୀମାରେ ଏହି ମୋବାଇଲ୍‌ ହଣ୍ଟିଙ୍ଗ ଟିମ୍‌ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି ।

Leave A Reply

Your email address will not be published.