ବାଲିଗୁଡା : ହୋଲିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଗଣ୍ଡଗୋଳ ଛଡାଇବାକୁ ଯାଇ ନିର୍ଧୁମ ମାଡ଼ ଖାଇଲେ ଯୁବକ । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଲେ ମହସିଂର ବୁଟୁଲୁ ପାତ୍ର । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମହସିଂ ଗୋଇବନ୍ଧାରେ । ସୂଚନା ଯୋଗ୍ୟ ଯେ, ଖଡ଼ଗ ନଦୀରେ ପିକନିକ କରୁଥିବା ସମୟରେ କୌଣସି କାରଣକୁ ନେଇ ଦଣ୍ଡପଦର ଗାଁର ଯୁବକ ଏବଂ ବଗାଡ଼ ଗାଁର ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ବୁଟୁଲୁ ମାରପିଟ୍ ଛଡେଇବାରୁ ଦଣ୍ଡପଦାର ଯୁବକଙ୍କ ଠାରୁ ନିର୍ଧୁମ ମାଡ଼ ଖାଇଥିଲେ । ଦଣ୍ଡପଦର ଗାଁର ପିଣ୍ଟୁ ଓ ଜିତୁ ନାମକ ବ୍ୟକ୍ତିଙ୍କ ସହ ୧୫ରୁ ଅଧିକ ଯୁବକ ସଂଘବଦ୍ଧ ଭାବେ ବିଭିନ୍ନ ମରଣାସ୍ତ୍ର ସହ ଠେଙ୍ଗାରେ ପିଟିଥିଲେ । ପରେ ବୁଟୁଲୁଙ୍କୁ ଅଚେତ ଅବସ୍ଥାରେ ନଦୀରେ ଫିଙ୍ଗି ଦେଇଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି । ବୁଟୁଲୁଙ୍କ ଦୁଇଗୋଡ଼, ଦାନ୍ତ ଭାଙ୍ଗିବା ସହିତ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବାରୁ ତାଙ୍କ ଛାତି ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ବାଲିଗୁଡା ମେଡିକାଲରେ ପ୍ରାଥମିକ ଚିକିତ୍ସା ହେବା ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ବାଲିଗୁଡା ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା କହିଛନ୍ତି ଥାନା ଅଧିକାରୀ ସମ୍ବିଦ ସ୍ୱାଇଁ । ତୁରନ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମହସିଂ ଗ୍ରାମବାସୀ ସମେତ କ୍ଷତ୍ରିୟ ସଂଘ ଦାବି କରିଛନ୍ତି ।
Next Post