ଭୁବନେଶ୍ଵର : ନେହେରୁବଙ୍ଗଳା ମାଛଧରା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୬ଟି ବୋଟ୍ ଏବଂ ୫ଟି ଟାପା । ଗୁରୁବାର ଦିନ ଏହି ଅଗ୍ନିକାଣ୍ଡ ଘଟିଛି । ୧୦ରୁ ଉର୍ଦ୍ଧ୍ଵ ଦମକଳବାହିନୀ ମିଶି ଦୀର୍ଘ ୪ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି ସୂଚନାନୁଯାୟୀ, ଗୁରୁବାର ନେହେରୁବଙ୍ଗଳା ମାଛଧରା ବନ୍ଦରର ୧ ନମ୍ବର ଜେଟ୍ଟିରେ ଥିବା ଏକ ବୋଟ୍ରେ ନିଆଁ ଲାଗିଯାଇଥିଲା । ଦେଖୁଦେଖୁ ନିଆଁ ଅନ୍ୟ ବୋଟ୍ ଗୁଡ଼ିକୁ ବ୍ୟାପି ଯାଇଥିଲା । ଗ୍ୟାସ ଟାଙ୍କି ଏବଂ ଡିଜେଲ ଟାଙ୍କି ଫାଟି ୬ଟି ବୋଟ୍ ଏବଂ ୫ଟି ଟାପା ଜଳି ଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ୧୦ରୁ ଉର୍ଦ୍ଧ୍ଵ ଇଫକୋ, ପାରାଦ୍ଵୀପ ବନ୍ଦର, ଆଇଓସିଏଲ, ପିପିଏଲ କମ୍ପାନୀର ଅଗ୍ନିଶମ ଗାଡ଼ି ସହିତ କୁଜଙ୍ଗ ଓ ତିର୍ତ୍ତୋଲ ଅଗ୍ନିଶମ ବାହିନୀ ଗାଡ଼ି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ବୋଟ୍ ଗୁଡ଼ିକରେ ଜାଲ, ଡିଜେଲ ଓ ଗ୍ୟାସ୍ ଟାଙ୍କି ରହିଥିବାରୁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇଥିଲା । ପାଖାପାଖି ୪ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ଅତିରିକ୍ତ ଏସପି ସ୍ମୃତି ରଞ୍ଜନ କର ଓ ମ୍ୟୁନିସିପାଲଟି ଅଧ୍ୟକ୍ଷ ମଧ୍ୟ ଘଟଣା ଉପରେ ନଜର ରଖିଥିବା ସୂଚନା ମିଳିଛି ।