ବଜେଟରେ ସୁନ୍ଦରଗଡ଼ ଜିଲ୍ଲାକୁ ଅଣଦେଖା ନେଇ ସଚେତନ ନାଗରିକ ମଞ୍ଚର କ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ରାଜ୍ୟ ସରକାର ନିକଟରେ ବଜେଟ ବିଧାନସଭାରେ ଉପସ୍ଥାପନ କରିଛନ୍ତି । ସର୍ବମୋଟ ଦୁଇ ଲକ୍ଷ ନବେ ହଜାର ଟଙ୍କାର ସନ୍ତୁଳିତ ବଜେଟରେ ଷୋହଳଟି ନୂଆ ସହ କୃଷି ଓ ଅନ୍ୟାନ୍ୟ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି । ରାଜ୍ୟର ସ୍ମାର୍ଟ ସିଟି ଭୁବନେଶ୍ୱର ପାଇଁ ସରକାର ସମସ୍ତ ସହଯୋଗ ଯୋଗାଇବାକୁ ଯୋଜନା କରିଥିବା ବେଳେ ରାଜ୍ୟର ଅନ୍ୟତମ ସ୍ମାର୍ଟ ସିଟି ରାଉରକେଲା ବା ସୁନ୍ଦରଗଡ ଜିଲ୍ଲାକୁ କୈାଣସି ଯୋଜନା କରାଯାଇନାହିଁ । ଫଳରେ ଏନେଇ ରାଉରକେଲା ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତାଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ସହରର ସୌନ୍ଦର୍ଯ୍ୟକରଣ ପାଇଁ ତେର ହଜାର କୋଟି ଟଙ୍କା ଦିଆଯାଇଥିବା ବେଳେ କଟକ, ସମ୍ବଲପୁର, ବ୍ରହ୍ମପୁର, କୋରାପୁଟ ପାଇଁ ସମୃଦ୍ଧ ସହର ଯୋଜନା, ଓୟୁଏଟି, ଓୟୁଟିଆର ଭୁବନେଶ୍ୱର, ପାରାଦ୍ୱୀପର ନୂତନ ବିମାନ ବନ୍ଦର, ବୁର୍ଲା ବିଶ୍ୱବିଦ୍ୟାଳୟ ପାଇଁ ଉତ୍କର୍ଷକେନ୍ଦ୍ର ସ୍ଥାପନ ଉଦ୍ଦେଶ୍ୟରେ ଅନୁଦାନ ପ୍ରଦାନ କରାଯାଇଛି । ଯୋରନ୍ଦା ମହିମାପୀଠ, ଘଟଗାଁ ତାରିଣୀ ମନ୍ଦିର, ସାତକୋଶିଆ, ଭିତରକନିକା, ମହେନ୍ଦ୍ରଗିରି ଆଦିର ବିକାଶ, କଟକ ଓ ସମ୍ବଲପୁର ମହାନଦୀ ତଟର ସୌନ୍ଦର୍ଯ୍ୟ କରଣ, କେନ୍ଦୁଝର ଓ କୋରାପୁଟରେ ଡାଟା ସେଣ୍ଟର, କଟକ ବଡ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ମଧ୍ୟ ବଜେଟରେ ଅର୍ଥ ବରାଦ କରାଯାଇଛି । ସ୍ମାର୍ଟସିଟି ବିକାଶରେ ଭୁବନେଶ୍ୱରର ବିକାଶକୁ ପ୍ରାଥମିକତା ଦେଇଥିଲା ବେଳେ ଅନ୍ୟତମ ସ୍ମାର୍ଟସିଟି ରାଉରକେଲାକୁ କୌଣସି ଗୁରୁତ୍ୱ ଦିଆଯାଇନି । ରାଉରକେଲା ଓ ସୁନ୍ଦରଗଡ଼ ଜିଲ୍ଲାର ବିକାଶରେ ସେମିତି କୌଣସି ଯୋଜନା ବଜେଟରେ ସ୍ଥାନ ପାଇନାହିଁ । ଖଣିଖାଦାନ ଓ ପ୍ରାକୃତିକ ସମ୍ପଦ ପରିପୂର୍ଣ ସୁନ୍ଦରଗଡ଼ ଜିଲ୍ଲାରେ ଆଦାୟ ହେଉଥିବା ଜିଲ୍ଲା ଖଣିଜ ପ୍ରତିଷ୍ଠାନର ପାଣ୍ଠିରୁ ଅର୍ଥ ଅନ୍ୟଆଡେ ଖର୍ଚ୍ଚ ହେଉଥିଲେହେଁ ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ ଓ ପର୍ଯ୍ୟଟନ ଆଦି ସବୁ କ୍ଷେତ୍ରରେ ଆଖିଦୃଶିଆ ଅଗ୍ରଗତି ହୋଇନାହିଁ । ସୁନ୍ଦରଗଡ଼ ଜିଲ୍ଲାରେ ଅର୍ଦ୍ଧାଧିକ ବନ୍ଦ ହୋଇପଡିଥିବା ଶିଳ୍ପର ପୁନରୁଦ୍ଧାର ପାଇଁ କୌଣସି ଠୋସ ପଦକ୍ଷେପ ନିଆଯାଇନାହିଁ, ଯାହାଫଳରେ ଶ୍ରମିକ ସମାଜ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି । ରାଉରକେଲା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରାଇବା, ବିପିୟୁଟିରେ ଉତ୍କର୍ଷକେନ୍ଦ୍ର ସ୍ଥାପନ, ରାଉରକେଲା ବିମାନ ବନ୍ଦରକୁ ପୂର୍ଣ୍ଣାଙ୍ଗ ବିମାନ ବନ୍ଦରରେ ରୂପାନ୍ତରିତ କରାଇବା, ରାଉରକେଲାରେ ଇଷ୍ଟକୋଷ୍ଟ ରେଳବାଇ ଅଧୀନରେ ଏକ ନୂଆ ଡିଭିଜନ ଖୋଲିବା, ରାଉରକେଲାରେ ଆଇଟି ଓ ପ୍ରଯୁକ୍ତି ବିଦ୍ୟାର ଭିତ୍ତିଭୂମିର ବିକାଶ କରାଇବା, ମେଡିକାଲ କଲେଜ ସହ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ, ଭୁବନେଶ୍ୱର ଭଳି ବୃହତ୍ତର ରାଉରକେଲାର ପରିକଳ୍ପନା, ବେଦବ୍ୟାସକୁ ଏକ ଅନ୍ତର୍ଜାତୀୟ ଧାର୍ମିକ ସ୍ଥଳରେ ପରିଣତ କରାଇବା ଭଳି କୌଣସି ପଦକ୍ଷେପ ବଜେଟରେ ପ୍ରତିଫଳିତ ହୋଇନଥିବାରୁ ସଚେତନ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ପି ପି ରାୟ, ସଭାପତି ବିମଳ ବିଶି, କାର୍ୟ୍ୟକାରୀ ସଭାପତି ଜଗବନ୍ଧୁ ଜେନା, ଉପସଭାପତି ଉପେନ୍ଦ୍ର କୁମାର ନାୟକ, ଜଟାଧାରୀ ମାଝୀ, ଡା ବସନ୍ତ କୁମାର ଦାସ, କୁଞ୍ଜବିହାରୀ ରାଉତ, ରମେଚନ୍ଦ୍ର ସେଠୀ, ସୁବ୍ରତ ମଲ୍ଲିକ, ସସ୍ମିତା ପ୍ରଧାନ, ବୈଦ୍ୟନାଥ ଦାସ, ବିଷ୍ଣୁ ଚରଣ ସାମଲ, ଶଶଧର ପାତ୍ର, ଚିତ୍ତରଞ୍ଜନ ଦାସ, ଅକ୍ଷୟ ଦାସ,ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ଶାନ୍ତନୁ ମୁଦାଲି, ଚକ୍ରାନ୍ତ ଜେନା, ଶମ୍ବୁନାଥ ପରିଡ଼ା, ଅକ୍ଷୟ ଜେନା, ନଳିନୀକାନ୍ତ ଧର ପ୍ରମୁଖ ସଭ୍ୟମାନେ କ୍ଷୋଭ ପ୍ରକାଶ କରିବା ସହ ସାମଗ୍ରିକ ଉନ୍ନତି ପାଇଁ ଜନପ୍ରତିନିଧିମାନଙ୍କ ସହ ରାଉରକେଲା ଜନସାଧାରଣ ଆଗେଇ ଆସିବାକୁ ମଞ୍ଚର ସାଧାରଣ ସମ୍ପାଦକ ଶ୍ରୀ ରାୟ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.