ଚାଷୀଙ୍କ ହିତରେ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ

  • ଟୋଲଫ୍ରି ନଂ ୧୯୬୭ ମାଧ୍ୟମରେ କରିହେଉଛି ଅଭିଯୋଗ
  • ଅଢେଇ ମାସ ମଧ୍ୟରେ ପ୍ରାୟ ସାଢେ ୬ ଲକ୍ଷ କଲ

ଭୁବନେଶ୍ୱର : ରାଜ୍ୟରେ କୃଷକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଯୋଗ୍ୟ ଚାଷୀ ଯେଭଳି ନିଜର ପ୍ରାପ୍ୟ ପାଇବାରୁ ବଞ୍ଚିତ ନହୁଅନ୍ତି ଏଥି ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଛି । ଧାନ ସଂଗ୍ରହ ସମୟରେ କୌଣସି ଅନିୟମିତତାର ଅଭିଯୋଗ ଆସିଲେ ଏହା ଉପରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ପରିସରରେ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଛି । ଚାଷୀମାନଙ୍କ ସ୍ୱାର୍ଥ ସାଧନ ଓ ସେମାନଙ୍କୁ ସର୍ବାଧିକ ଲାଭ ଦେବା ଲକ୍ଷ୍ୟ ନେଇ ଏହି କକ୍ଷ କାର୍ଯ୍ୟକ୍ଷମ ହୋଇଛି । ଏହାଦ୍ୱାରା ଧାନ ବିକ୍ରୟ ପ୍ରକ୍ରିୟାରେ କୌଣସି ସମସ୍ୟା ଥିଲେ ଚାଷୀମାନେ ତୁରନ୍ତ ସେମାନଙ୍କ ଅଭିଯୋଗ ଏହି କକ୍ଷ ମାଧ୍ୟମରେ କରିପାରୁଛନ୍ତି । ଯାହାଦ୍ୱାରା ସମ୍ପୃକ୍ତ ସମସ୍ୟାର ସମାଧାନ କରାଯାଇ ପାରୁଛି । ପ୍ରତ୍ୟେକ ମଣ୍ଡିରେ ନୋଡାଲ ଅଧିକାରୀମାନେ ନିଯୁକ୍ତ ହୋଇ ଧାନକିଣା ପ୍ରକ୍ରିୟା ତଦାରଖ କରୁଛନ୍ତି । କୌଣସି ଅଭିଯୋଗ ଥିଲେ ଟୋଲଫ୍ରି ନଂ ୧୯୬୭ ମାଧ୍ୟମରେ ଯୋଗାଯୋଗ କରାଯାଇପାରୁଛି । ବର୍ତ୍ତମାନ ଏହି ଟୋଲ ଫ୍ରି ନମ୍ବର ମାଧ୍ୟମରେ ଏକ ଲକ୍ଷ ୪୧୭୮ଟି ଇନକମିଙ୍ଗ କଲ ରହିଛି । ଏଥିରେ ସର୍ବାଧିକ ପ୍ରାୟ ୯୦ ହଜାର କଲ ଟୋକାନ ସମ୍ବନ୍ଧୀୟ ରହିଛି । ସେହିଭଳି ଏହି କେନ୍ଦ୍ରରୁ ଏକ ଲକ୍ଷ ୧୨ ହଜାର ୧୧ଟି କଲ ଆଉଟଗୋଇଙ୍ଗ କଲ ରହିଛି । ଏଥି ମଧ୍ୟରେ ପ୍ରାୟ ୭୦ ହଜାର ଚାଷୀଙ୍କ ମତାମତ ଓ ୩୯ ହଜାର କଲ ଭାଗଚାଷୀ ଯାଞ୍ଚ ସମ୍ପର୍କିତ କଲ ରହିଛି । ସେହିଭଳି ଇଣ୍ଟରଆକ୍ଟିଭ ଭଏସ ରେସପନ୍ସ ସିଷ୍ଟମ ମାଧ୍ୟମରେ ମଧ୍ୟ ୪ଲକ୍ଷ ୨୯ ହଜାର ୬୫୦ଟି କଲ କରାଯାଇଛି । ଏଥିମଧ୍ୟରେ ପ୍ରାୟ ୩ଲକ୍ଷ ୧୫ ହଜାର କଲ କେବଳ ଟୋକନ ସମ୍ପର୍କରେ କରାଯାଇଥିବା ଜଣାପଡିଛି । ଏହିଭଳି ଭାବେ ପ୍ରାୟ ସାଢେ ୬ ଲକ୍ଷ କଲ କରାଯାଇଛି । ସୂଚନାଯୋଗ୍ୟ, ଏହି ତଥ୍ୟ ଗତ ଅଢେଇ ମାସ ଅର୍ଥାତ ଗତ ନଭେମ୍ବର ପହିଲାରୁ ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ମଧ୍ୟରେ ରହିଛି । ଏହି କକ୍ଷ ଉଭୟ ଖରିଫ ଓ ରବି ଋତୁରେ ଧାନ ସଂଗ୍ରହ ବେଳେ ଉପଲବ୍ଧ ରହିବ ।

Leave A Reply

Your email address will not be published.