jayashree

ଶରଧାପାଲି ଗ୍ରାମରେ ଓସାକା ହାଇଦ୍ରାବାଦର ଡାଲଖାଇ ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ

ଆଗଲପୁର, (କେପିଏନ୍‌ଏସ୍‌) : ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ “ଓସାକା” ତରଫରୁ କୋଶଳାଞ୍ଚଳ ଡାଲଖାଇ ପୁରସ୍କାର ଉତ୍ସବ – ୨୦୨୪ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନୁନିଆପାଲି ପଂଚାୟତର ଶରଧାପାଲି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡିଶାର ଗ୍ରାମାଞ୍ଚଳରେ ହଜି ଯାଇଥିବା ପ୍ରାଚୀନ ପରମ୍ପରା ଡାଲଖାଇକୁ ବଂଚେଇବା ପ୍ରୟାସ ସହ ଗ୍ରାମାଞ୍ଚଳର କଳାକାରମାନଙ୍କୁ ପ୍ରୋତ୍ସାହନ ପାଇଁ ଓସାକା ହାଇଦ୍ରାବାଦ ଡାଲଖାଇ ପୁରସ୍କାର ୨୦୨୩ ଠାରୁ ଆୟୋଜନ କରିଆସୁଛି । ଏହି ବର୍ଷ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଗୁରୁଶ୍ରୀ ଡ଼କ୍ଟର ଘାସିରାମ ମିଶ୍ର ଡାଲଖାଇର ମୌଳିକତା ବଜାୟ ରଖିବାକୁ କଳାକାରମାନେ ଚେଷ୍ଟିତ ହେବାକୁ ପରାମର୍ଶ ଦେବା ସହିତ ଗବେଷଣା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସମ୍ମାନିତ ଅତିଥି ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଯୋଷୀ ଲୋକ କଳାକାରମାନଙ୍କୁ ଉତ୍ସାହ ପ୍ରଦାନ ତଥା ଗ୍ରାମାଞ୍ଚଳରେ ଆୟୋଜିତ ଓସାକାର ଏହି କାର୍ଯ୍ୟକ୍ରମକୁ ଭୁୟସୀ ପ୍ରସଂଶା କରି ଡାଲଖାଇ ଉପରେ ଏକାଡେମୀକ ଆଲୋଚନା ଏବଂ କର୍ମଶାଳା ଆୟୋଜନ କରିବା ପାଇଁ ଅନୁରୋଧ କରିଥିଲେ । ଏହି ଅବସରରେ ଓସାକା ତରଫରୁ ପ୍ରସିଦ୍ଧ ଡାଲଖାଇ କଳାକାର ବେଟିଖାଇ ବରିହାଙ୍କୁ “କୋଶଲ ଡାଲଖାଇ ଦେବୀ” ଉପାଧିରେ ସମ୍ମାନିତ କରାଯାଇଥିଲା । ଏହି ବର୍ଷ ଡାଲଖାଇ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଗଣ୍ଡପାଲିର ଜୟ ମା’ସମଲେଇ ପୁରୁଣା ଡାଲଖାଇ ପାର୍ଟି, ଦ୍ୱିତୀୟ ସ୍ଥାନରେ ଥିବା ଶରଧାପାଲିର ଜୟ ମା’ ଦୁର୍ଗାଦେବୀ ଡାଲଖାଇ ପାର୍ଟି ଏବଂ ଯୁଗ୍ମ ଭାବେ ତୃତୀୟ ସ୍ଥାନ ପାଇଥିବା ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକର ଡ଼ୁମେରବାହାଲ ଗ୍ରାମର ଡାଲଖାଇ ଦଳ ଓ ଗଣ୍ଡପାଲିର ଛେଲିଆପାଟ ଡାଲଖାଇ ଦଳଙ୍କୁ ନଗଦ ଅର୍ଥ ରାଶି ସମେତ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ବରିଷ୍ଠ ଧୁନକେଲ କଳାକାର ପଦ୍ମନାଭ ବାଗ, ଢୁଳିଆ ବଳରାମ ସୁନା, ନୃତ୍ୟଗୁରୁ ଧନୁ ସାହୁ, ଡାଲଖାଇ କଳାକାର ଦୁଲଣା ବାଗଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ନିମନ୍ତ୍ରିତ ଅତିଥିଭାବେ ଆଗଲପୁର ବ୍ଲକ ଉପାଧ୍ୟକ୍ଷ୍ୟା ନିରୁପମା ପଧାନ, ନୁନିଆପାଲି ସରପଞ୍ଚ ପୁଷ୍ପାଞ୍ଜଳି ସାହୁ, ସମିତି ସଭ୍ୟା ବିଳାସିନୀ ଭୋଇ, ଭରସୁଜା ସରପଞ୍ଚ ପ୍ରମିଳା ସାହୁ, ଝରନୀପାଲି ସରପଞ୍ଚ ସୁନିତା ସାହୁ, ସମିତି ସଭ୍ୟ ନରେଶ କୁମାର ସାହୁ, ସମାଜସେବୀ ରାଜୀବ ଭୋଇ, କୋଶଲ ସଂଗ୍ରାମୀ ସୂର୍ଯ୍ୟ ସ୍ୱାଇଁ ଏବଂ ସଂସ୍କୃତି ଗବେଷକ ଭରତ ନାଗ ଡାଲଖାଇର ଉନ୍ନତି ପାଇଁ ସ୍ଵକୀୟ ମତ ରଖିବା ସହ ଆଗାମୀ ଦିନରେ ସବୁ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳର ଜୀବନ ଜୀବିକା ଆଧାରିତ ପ୍ରଦର୍ଶନୀ ସହ ସନ୍ଧ୍ୟାକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ମନଛୁଆଁ ଥିଲା । ସ୍ଥାନୀୟ ସଂଯୋଜକ ତଥା ପୋଡ଼ପାଲି ସ୍ଥିତ ପଞ୍ଚୁସେବା ସଦନର ନିର୍ଦେଶକ ଭରତ ସାହୁ ଏବଂ ଯୁବ ସଂଗଠକ ଅର୍ଜୁନ କୁମାର ସାହୁ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ରଘୁନାଥ ରଣା, ଅଲେଖ ଡାଙ୍ଗ ଓ ବଳରାମ ମିଶ୍ର ସଭାକାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଓସାକା ହାଇଦ୍ରାବାଦର ଉପଦେଷ୍ଟା ବୈଜ୍ଞାନିକ ଅଧିକାରୀ ପଦ୍ମନାଭ ପଧାନ ଅର୍ପଣ କରିବା ସହିତ ଆଗାମୀ ଦିନରେ ସମସ୍ତଙ୍କ ସହଯୋଗରେ ଓସାକା ଡାଲଖାଇ ଉପରେ କର୍ମଶାଳା ଆୟୋଜନ ତଥା ପଶ୍ଚିମ ଓଡିଶାର ଡାଲଖାଇ ନୃତ୍ୟ ବଞ୍ଚାଇ ରଖିଥିବା ଅଂଚଳରେ ଡାଲଖାଇ ଏକାଡେମୀ ସ୍ଥାପନ ପାଇଁ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ଜଣାଇଥିଲେ ।

Leave A Reply

Your email address will not be published.