ଝିଙ୍କରପାଲି ଗ୍ରାମରେ ଥିବା ପୁରାତନ ଐତିହ୍ୟ ଶିଳାଲେଖର ଦୃଷ୍ଟି ଆକର୍ଷଣ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗ୍ରାମବାସୀ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ପଲସାଗୋରା ପଞ୍ଚାୟତ ଅଧିନ ଝିଙ୍କରପାଲି ଗ୍ରାମରେ ଥିବା ପୁରାତନ କୀର୍ତ୍ତିରାଜିର ପୁନରୁଦ୍ଧାର ପାଇଁ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ବ ଗବେଷଣା ପ୍ରତିଷ୍ଠାନ ପ୍ରତିନିଧି ଦଳଙ୍କ ଦ୍ବାରା ସର୍ବେକ୍ଷଣ କରାଯାଇ ଏହାର ପୁନରୁଦ୍ଧାର କରିବା ପାଇଁ ରାଜ୍ୟ ବିଜେପି ସାଧାରଣ ସଂପାଦକ ଓମପ୍ରକାଶ ମିଶ୍ରଙ୍କ ମାଧ୍ୟମରେ ମାନ୍ୟବର ମନ୍ତ୍ରୀ ଇଷ୍ପାତ ଏବଂ ପେଟ୍ରୋଲିୟମ ବିଭାଗ ଭାରତ ସରକାର ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ପଠାଇଛନ୍ତି ଗ୍ରାମବାସୀ । ସୂଚନା ଅନୁସାରେ ୨୦୧୭ ମସିହାରେ ଗାଁ ମୁଣ୍ତରେ ଜଣେ କୃଷକ ହଳ କରୁଥିବା ସମୟରେ କାରୁକାର୍ଯ୍ୟ ମଣ୍ତିତ ଏକ ଦୁଲ୍ଲଭ ପ୍ରସ୍ତର ଖଣ୍ତ ଏବଂ ପାଲି ଭାଷାରେ ଲିଖିତ କେତେକ ଶିଳାଖଣ୍ତ ଦୃଷ୍ଟି ଗୋଚର ହୋଇଥିଲା ।

ଉକ୍ତ ଖବର ଗଣମାଧ୍ୟମରେ ପ୍ରକାଶିତ ହେବାପରେ ସ୍ଥାନୀୟ ପ୍ରଶାସନ ଏବଂ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଏକ ପ୍ରତିନିଧି ଦଳ ଆସି ତାର ବିଭିନ୍ନ ଦିଗ ଉପରେ ଗବେଷଣା କରି ଏହା ସୋମବଂଶୀ ରାଜା ମାନଙ୍କ ଦ୍ବାରା ଅଷ୍ଟମ ଶତାବ୍ଦୀରେ ନିର୍ମିତ ହୋଇଥିବା ଅନୁମାନ କରିଥିଲେ । ଏହାର ଅନତି ଦୂରରେ ପ୍ରସିଦ୍ଧ ବୈଦ୍ୟନାଥ ମନ୍ଦିର, ଚରଦା ଶିବ ମନ୍ଦିର, ଜଗତି ଚାରିଶମ୍ଭୁ ମନ୍ଦିର, ଆଳି ମନ୍ଦିର ରହିଛି । ପାରିପାଶ୍ବିକ ଅବସ୍ଥିତି ଏବଂ ମାଟିତଲେ ପୋତି ହୋଇଥିଲା ଅନେକ ପଥର ଖଣ୍ତକୁ ଅନୁମାନ କଲେ ଏଠାରେ ମଧ୍ୟ ଏକ ଶିବ ମନ୍ଦିର ଥିବା ଅନୁମାନ କରାଯାଏ । ଏହାର ଖନନ କାର୍ଯ୍ୟ କରାଗଲେ ଅନେକ ତଥ୍ୟ ଲୋକଲୋଚନକୁ ଆସି ପାରନ୍ତା ବୋଲି ଗ୍ରାମର ସଦାଶିବ ପାଢି, ବିଘ୍ନେଶ୍ବର ବାରିକ, ଉତ୍ତର ଖଟୁଆ, ସତୃଘନ ସାହୁ, ପୁରନ୍ଦର ସାହୁ ପ୍ରମୁଖ ଚିଠିରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.

error: Content is protected !!