ଚିକିତ୍ସା ଅବହେଳାରୁ ପ୍ରସୂତୀ ମହିଳାଙ୍କ ମୃତ୍ୟୁ ଘଟଣାର ପାଞ୍ଚ ଦିନ ବିତିଲା, କାର୍ୟ୍ୟନୁଷ୍ଠାନ ଶୂନ୍ : ସାଧାରଣରେ ଅସନ୍ତୋଷ

ତୁଷୁରା, (ଅଜିତ କୁମାର ସାହୁ) : ଚିକିତ୍ସା ଅବହେଳାରୁ ପ୍ରସୂତୀ ମହିଳାଙ୍କ ମୃତ୍ୟୁ ଘଟଣାର ପାଞ୍ଚ ଦିନ ବିତି ଯାଇଥିଲେ ମଧ୍ୟ କାର୍ୟ୍ୟନୁଷ୍ଠାନ ଶୂନ୍ । ଏନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟ ପକ୍ଷରେ ଗୁଡଭେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ଼ା. ସୁମିତ ମେହେର ନିଜେ ଆସି ତୁଷୁରା ଚିକିତ୍ସାଳୟର ବନ୍ଦ କୋଠରୀ ଭିତରେ ଉକ୍ତ ସମୟରେ ଦାୟତ୍ୱରେ ଥିବା ନର୍ସ ମାନଙ୍କୁ ଦୁଇ ଘଂଟା ଧରି ଜୋରା କରିଥିଲେ । ଅନ୍ୟ ପକ୍ଷକୁ ଜୋରା କରିବା ପରେ କିଛି କହି ହେବ ବୋଲି ଡ଼ା. ମେହେର ଗଣମାଧ୍ୟମକୁ ସୂଚନା ଦେଇଥିଲେ । କିନ୍ତୁ ଘଟଣାର ପାଞ୍ଚ ଦିନ ବିତିଯାଇଥିଲେ ବି ମୃତକଙ୍କ ଘରକୁ ଯାଇ ତାହାର ତଦନ୍ତ କରି ନାହାନ୍ତି କାହିଁକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଡ଼ା. ମେହେରଙ୍କୁ ପଚାରିବାରୁ କହନ୍ତି, ଟିକିଏ କାମ ଅଧିକ ଥିବାରୁ ତଦନ୍ତ କାରଯାଇ ପାରିନି । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା.ଭୀମ ସାହୁ କହନ୍ତି ଯେ, କରେନା ଟୀକା କାର୍ୟ୍ୟକ୍ରମ ପାଇଁ ଟିକିଏ ବ୍ୟସ୍ତ ଅଛୁଁ, ଜିଲାରୁ ଏକ ଟିମ୍‌ ଯାଇ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ୟ୍ୟନୁଷ୍ଠାନ ନିଆଯିବ । ଅନ୍ୟପକ୍ଷରେ ତଦନ୍ତ ନାଁରେ ଦୋଷୀଙ୍କୁ ଖସାଇବାକୁ ଉଦ୍ୟମ ଚାଲିଛି ବୋଲି ମୃତ ମହିଳା‌ଙ୍କ ସ୍ୱାମୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିବା ସହ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବୀ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ତୁଷୁରା ସହରର ରାମ ପଟ୍ଟନାୟକଙ୍କ ସ୍ତ୍ରୀ ସୁନୀତା ପଟ୍ଟନାୟକ (୩୦)ଙ୍କୁ ପ୍ରସବ ବେଦନା ହେବାରୁ ଗତ ମଙ୍ଗଳବାର ତାଙ୍କୁ ତୁଷୁରା ଡ଼ାକ୍ତରଖାନକୁ ଆଣାଯାଇଥିବା ବେଳେ ଡ଼ାକ୍ତରଖାନାରେ ଡ଼ାକ୍ତର ଛୁଟିରେ ଥିଲେ । ଏହା ସତ୍ତେ୍ୱ ମଧ୍ୟ ଉପସ୍ଥିତ ଥିବା ନର୍ସ ମାନେ ସ୍ୱାଭାବିକ ପ୍ରସବ ହୋଇଯିବ କହି ସୁନୀତାଙ୍କୁ ଡ଼ାକ୍ତରଖାନରେ ଆଡ଼୍‌ମିଟ୍‌ କରିଥିଲେ । ଏହା ପରେ  ସୁନୀତା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । କିନ୍ତୁ ପ୍ରଚୂର ରକ୍ତଶ୍ରାବ ଯୋଗୁଁ ଶେଷରେ ବଲାଙ୍ଗିର ନେବା ପାଇଁ ପରିବାରର ଲୋକଙ୍କୁ କୁଆଡେ ନର୍ସମାନେ କହିଥିଲେ । ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ପହଂଚିବା ପରେ ତାଙ୍କ ମୃତ୍ୟୁ ହୋଇଥିଲା ।  

Leave A Reply

Your email address will not be published.