ଲୋଇସିଂହା, (କେପିଏନ୍ଏସ୍) : ପୁଅ ମୃତ୍ୟୁର କେଇ ଘଣ୍ଟା ପରେ ମାଁର ମରଣ ହେବା ଓ ଗୋଟିଏ ଜୁଇରେ ଉଭୟ ମାଁ ଓ ପୁଅଙ୍କ ଶବ ସତ୍କାର କରାଯିବା ଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଲୁଚକିବାହାଲ ଗ୍ରାମରେ । ଲୋଇସିଂହା ବ୍ଲକ ଝାରମୁଣ୍ଡା ପଞ୍ଚାୟତ ଲୁଚକିବାହାଲ ଗ୍ରାମର ଭକ୍ତବନ୍ଧୁ ସାହୁ (୩୫) କିଛିଦିନ ହେଲା କିଡନୀ ରୋଗରେ ଆକ୍ରାନ୍ତ ଥାଇ ଚିକିତ୍ସାଧୀନ ଥିଲେ । ଗତକାଲି ସନ୍ଧ୍ୟାରେ ଭକ୍ତଙ୍କ ଅବସ୍ଥା ଗୁରୁତର ହେବା ସହିତ ତାଙ୍କର ପରଲୋକ ହୋଇଯାଇଥିଲା । ଘରେ ଥିଲେ ବିଧବା ମାଆ ରୁକ୍ମଣୀ(୬୫), ସ୍ତ୍ରୀ ରାଜଶ୍ରୀ(୩୨) ଓ ତିନି ପୁଅ । ତିନି ପୁଅଙ୍କ ମଧ୍ୟରୁ ଜଣକର ବୟସ ୩ ବର୍ଷ ଏବଂ ଆଉ ୨ଜଣ ଯମଜ ସନ୍ତାନ (୨ ବର୍ଷ )। ଏଭଳି ସ୍ଥିତିରେ ନିଜକୁ ସମ୍ଭାଳି ପାରି ନଥିଲେ ମାଆ ରୁକ୍ମଣୀ । ସ୍ୱାମୀଙ୍କ ମୃତ୍ୟୁ ପରେ ଏକମାତ୍ର ପୁଅର ଭେଣ୍ଡା ବୟସରେ ଅକାଳ ବିୟୋଗ ଘଟଣାରେ ମ୍ରିୟମାଣ ହୋଇ ପଡିଥିବା ରୁକ୍ମିଣୀଙ୍କ ମଧ୍ୟ ଆଜି ସକାଳେ ହୃଦଘାତରେ ପରଲୋକ ହୋଇଯାଇଛି । ସାହି ପଡିଶା ତଥା ଜ୍ଞାତି କୁଟୁମ୍ବଙ୍କ ସହଯୋଗ କ୍ରମେ ଉଭୟ ମାଁ ଓ ପୁଅଙ୍କ ମୃତଦେହକୁ ଆଜି ଗୋଟିଏ ଜୁଇରେ ଦାହ ସଂସ୍କାର କରାଯିବା ଘଟଣା ବେଶ ହୃଦୟ ବିଦାରକ ଥିଲା । ଏପଟେ ସ୍ୱାମୀଙ୍କ ଅକାଳ ମୃତ୍ୟୁ ପରେ ସମ୍ପୂର୍ଣ ଅସହାୟ ହୋଇ ପଡିଛନ୍ତି ରାଜଶ୍ରୀ । ୩ଟି ଶିଶୁଙ୍କୁ ନେଇ ସ୍ୱାମୀ ତଥା ଶାଶୁଙ୍କ ଶୁଦ୍ଧିକ୍ରିୟା କରାଯିବା ସହିତ ପରିବାର ଚଳାଇବା ଚିନ୍ତାରେ ରାଜଶ୍ରୀ । ଜିଲ୍ଲା ପ୍ରଶାସନ ଏହି ପ୍ରଭାବିତ ପରିବାର ପ୍ରତି ଉପଯୁକ୍ତ ଦୃଷ୍ଟି ଦେଇ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦିଆଯିବା ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି ।