ମା’ ସୁନାଦେଇଙ୍କ ଛତର ଯାତ୍ରା

ନୂଆପଡା, (ଅଜିତ ବେହେରା) : ସୁନାବେଡା ଆଭୟାରଣ୍ୟ ଅଞ୍ଚଳର ଇଷ୍ଟଦେବୀ ମା’ ସୁନାଦେଇ । ସବୁବର୍ଷ ଭଳି ଏ ବର୍ଷ ମଧ୍ୟ ହଜାର ହଜାର ଭକ୍ତଙ୍କ ସମାଗମରେ ମା’ଙ୍କ ଛତର ଯାତ୍ରା ସମ୍ପନ୍ନ ହୋଇଯାଇଛି । ନୂଆପଡା ଜିଲ୍ଲାର ବହୁ ପ୍ରସିଦ୍ଧ ଯାତ୍ରା ହେଉଛି ସୁନାଦେଇ ଛତର ଯାତ୍ରା । ଚଳିତ ବର୍ଷ ମଧ୍ୟ ଏହି ଛତର ଯାତ୍ରା ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଯାଇଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗହଣରେ ମା’ ସୁନାଦେଇ କାଳିସୀ ଦେହରେ ଆବିର୍ଭାବ ହୋଇ ଆଦିମ ଜନଜାତିଙ୍କ ଅଞ୍ଚଳ ଭ୍ରମଣ କରିଛନ୍ତି । ପ୍ରତିବର୍ଷ ଭଳି ଏଥର ମଧ୍ୟ ବୋଦାବଳିରେ ରକ୍ତ ରଞ୍ଜିତ ହୋଇଛି ମା’ ସୁନାଦେଇଙ୍କ ପୀଠ । ରାଜ୍ୟ ତଥା ରାଜ୍ୟ ବାହାରରୁ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ପୀଠରେ ବଳି ପକାଇବା ସହ ଦେବୀଙ୍କୁ ଦର୍ଶନ କରିଛନ୍ତି । ବିଶ୍ୱାସ ରହିଛି ଛତର ଯାତ୍ରାରେ ମା’ଙ୍କୁ ଦର୍ଶନ କଲେ ମାନସିକ ପୂରଣ ହୋଇଥାଏ । ସୁନାବେଡା ଅଭୟାରଣ୍ୟରେ ବସବାସ କରୁଥିବା ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ସୁନାଦେଇ । ସମୁଦ୍ର ପତ୍ତନ ଠାରୁ ସାଢେ ୩ ହଜାର ବର୍ଗଫୁଟ ଉଚ୍ଚ ପର୍ବତ ଶୀର୍ଷରେ ଅବସ୍ଥିତ ବହୁଚର୍ଚ୍ଚିତ ସୁନାବେଡା ଅଭୟାରଣ୍ୟ । ଶହ ଶହ ଭକ୍ତଙ୍କ ସମାଗମରେ ବହୁ ଧୁମ୍‌ଧାମ୍‌ରେ ମା’ଙ୍କର ଏହି ପବିତ୍ର ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଯାତ୍ରା ପାଇଁ ମା’ ସୁନାଦେଇଙ୍କ ପୀଠରେ ଜନ ସମୁଦ୍ର ଦେଖିବାକୁ ମିଳିଥିଲା । ସୁନାବେଡା ଅଭୟାରଣ୍ୟରେ ଲାଗିଛି ଲୋକଙ୍କ ଗହଳି । ସୁନାଦେଇ ମା’ଙ୍କୁ ବର୍ଷକୁ ୨ ଥର ପୂଜା କରାଯାଏ । ଚୈତ୍ର ମାସରେ ଚୈତ୍ର ପର୍ବ ଏବଂ କୁମାର ପୂର୍ଣ୍ଣିମା ଛତର ଯାତ୍ରାରେ ମା’ ୪୮୪ ଟିକ୍ରି(ଗାଁ) ଗୌତିଆ ଗାଁ ମୁଖିଆଙ୍କ ଠାରୁ ବୋଦାବଳି ଖାଇଥାନ୍ତି । ଏଠାରେ କିଛି ନିଆରା ପରମ୍ପରା ମଧ୍ୟ ଦେଖିବାକୁ ମିଳିଥାଏ । ଆଦିମ ଜନଜାତିଙ୍କ ଏକ ନିଆରା ପରମ୍ପରା ରହିଛି । ମା’ଙ୍କ ଛତର ଯାତ୍ରା ପାଳିତ ନହେବା ଯାଏଁ ସେମାନେ ବିବାହ, ବ୍ରତ ଆଦି ଶୁଭକାମ କରନ୍ତି ନାହିଁ ଏବଂ ଜଙ୍ଗଲଜାତ ଦ୍ରବ୍ୟ ମଧ୍ୟ ସ୍ପର୍ଶ କରନ୍ତି ନାହିଁ ।

Leave A Reply

Your email address will not be published.