ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ସ୍ଵଚ୍ଛତା ହିଁ ସେବା ଅଭିଯାନ ଓ ହିନ୍ଦୀ ପକ୍ଷ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ପିଆଇବି) : ଅକ୍ଟୋବର ପହିଲା ଭାରତ ସଞ୍ଚାର ନିଗମ ଲିଃ (ବିଏସ୍‌ଏନ୍‌ଏଲ୍‌)ର ୨୫ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଓଡ଼ିଶା ବିଏସ୍‌ଏନ୍‌ଏଲ୍‌ ପରିମଣ୍ଡଳ ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା ଅଭିଯାନ’ ଅନ୍ତର୍ଗତ ବ୍ୟାପକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱଚ୍ଛତା ପ୍ରତି ସଂକଳ୍ପବଦ୍ଧତା ମୁତାବକ, ଓଡ଼ିଶାରେ ଥିବା ସମସ୍ତ ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟ ଓ ବିଏସ୍‌ଏନ୍‌ଏଲ୍‌ ଭବନ ଠାରେ ସ୍ଵତନ୍ତ୍ର ‘ସ୍ଵଚ୍ଛତା ହିଁ ସେବା’ ଅଭିଯାନ ଆୟୋଜନ କରାଯାଇଥିଲା । ବିଏସ୍‌ଏନ୍‌ଏଲ୍‌ର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଏଥିରେ ଅଂଶଗ୍ରହଣ କରିଥିଲେ । ଏହି ଅଭିଯାନ ଅଧୀନରେ ଗତ ୧୫ ଦିନ ଧରି ବିଏସ୍‌ଏନ୍‌ଏଲ୍‌ର କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ପରିସରକୁ ସଫେଇ କରାଯାଇଥିଲା । ବିଏସ୍‌ଏନ୍‌ଏଲ୍‌ ଓଡିଶା ଦୂରସଞ୍ଚାର ପରିମଣ୍ଡଳ ମୁଖ୍ୟ ମହାପ୍ରବନ୍ଧକ ରୁଦ୍ରନାରାୟଣ ପଲାଇଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଅଭିଯାନରେ ନେତୃତ୍ୱ ନେଇଥିଲେ । ଏହାବ୍ୟତୀତ ବିଏସ୍‌ଏନ୍‌ଏଲ୍‌ ଭବନ ଏବଂ ଓଡ଼ିଶା ପରିମଣ୍ଡଳର ସମସ୍ତ କାର୍ଯ୍ୟାଳୟରେ ଚାରାରୋପଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଅନ୍ୟପକ୍ଷରେ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ପଲାଇଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସ୍ଥିତ ଓଡ଼ିଶା ପରିମଣ୍ଡଳ ମୁଖ୍ୟ କାର୍ଯ୍ୟାଳୟରେ ହିନ୍ଦୀ ପକ୍ଷ ଉଦଯାପିତ ହୋଇଯାଇଛି । ଉଦ୍‌ଯାପନୀ ବୈଠକରେ ଦେବାଶିଷ ମହାପାତ୍ର, ସହ ପ୍ରାଧ୍ୟାପକ, (ଆର୍‌. ଆଇ. ଇ), ଭୁବନେଶ୍ୱର ମୁଖ୍ୟ ଅତିଥି ଓ ଏମ୍‌. ମୁରଲୀ କ୍ରୀଷ୍ଣା, ଅତିରିକ୍ତ ମହାନିର୍ଦ୍ଦେଶକ, ଓଡିଶା (ଏଲ୍‌ଏସ୍‌ଏ) ଦୂରସଞ୍ଚାର ବିଭାଗ ବିଶେଷ ଅତିଥି ରୂପେ ଉପସ୍ଥିତ ଥିଲେ । ସରକାରୀ କାର୍ଯ୍ୟ କ୍ଷେତ୍ରରେ ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଥିଲା । ଇ-ଅଫିସ ଓ କମ୍ପ୍ୟୁଟର ଆଦିରେ ହିନ୍ଦୀରେ କାର୍ଯ୍ୟ କରିବାକୁ ଶ୍ରୀ ପଲାଇ ସମସ୍ତଙ୍କୁ ନିବେଦନ କରିଥିଲେ । ହିନ୍ଦୀ ପକ୍ଷର ଶୁଭାରମ୍ଭ ଗତ ୧୪ ତାରିଖରେ ଆରମ୍ଭ ହୋଇ ୩୦ରେ ଶେଷ ହୋଇଛି । ବିଏସ୍‌ଏନ୍‌ଏଲ୍‌ ଅଧିକାରୀ ଓ କର୍ମଚାରୀ ବର୍ଗ ଏବଂ ସେମାନଙ୍କ ପିଲା ମାନଙ୍କ ମଧ୍ୟରେ ବିଭିନ୍ନ ହିନ୍ଦୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉଦ୍‌ଯାପନୀ ସମାରୋହରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଛି । ସୂଚନାଯୋଗ୍ୟ, ୧ ଅକ୍ଟୋବର ୨୦୦୦ ମସିହାରେ ପ୍ରତିଷ୍ଠା ହୋଇଥିବା ବିଏସ୍‌ଏନ୍‌ଏଲ୍‌ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଦେଶର କୋଣଅନୁକୋଣରେ ନିରନ୍ତର ଭାବେ ଦୂରସଞ୍ଚାର ଓ ଇଣ୍ଟରନେଟ୍ ସେବା ଯୋଗାଇ ଆସୁଛି । ସବୁ ଲୋକଙ୍କୁ ମୋବାଇଲ ଓ ବ୍ରଡବ୍ୟାଣ୍ଡ ସେବା ଯୋଗାଇ ଦେବା ଲାଗି ସରକାରଙ୍କ ପ୍ରୟାସରେ ବିଏସ୍‌ଏନ୍‌ଏଲ୍‌ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ଦେଉଛି ।

Leave A Reply

Your email address will not be published.

error: Content is protected !!