shyamal

ଗରଗଡବାହାଲର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ଅସୁରମୁଣ୍ଡାର ୩ ସନ୍ତାନର ବାପା ଗିରଫ

  • ପୋକସୋ କୋର୍ଟ ଚାଲାଣ, ନାବାଳିକା ଉଦ୍ଧାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗରଗଡବାହାଲ ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ଅସୁରମୁଣ୍ଡା ଗ୍ରାମର ଶଙ୍କର ତାଣ୍ଡିଙ୍କ ପୁଅ ସୁନାଧର ତାଣ୍ଡି(୨୪)ନାମକ ଜଣେ ୩ ସନ୍ତାନର ବାପାଙ୍କୁ ପୁଲିସ୍ ଗିରଫ କରି ପୋକସୋ କୋର୍ଟ ଚାଲାଣ କରିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗରଗଡବାହାଲ ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକା ଘରୁ ନିଖୋଜ ଥିବା ନେଇ ଜାଣିପାରି ତାଙ୍କ ପରିବାର ଲୋକେ ପ୍ରଥମେ ଥାନାରେ ଏକ ନିଖୋଜ ଏତଲା ଦେଇଥିଲେ । ପରିବାର ଲୋକେ ଅଧିକ ଖୋଜାଖୋଜି ଓ ତଦନ୍ତ କରି ନାବାଳିକାଙ୍କୁ ଅଭିଯୁକ୍ତ ସୁନାଧର ଅପହରଣ କରିନେଇଥିବା ଜାଣିପାରିଥିଲେ । ଏହାପରେ ପରିବାର ପକ୍ଷରୁ ସୁନାଧର ନାମରେ ଥାନାରେ ଅପହରଣ ଅଭିଯୋଗ କରାଯାଇଥିଲା । ପୁଲିସ କେଶ୍‌ ନଂ ୨୨୦/୨୪ରୁଜ୍ଜୁ କରି ଅଧିକ ତଦନ୍ତ ଆରମ୍ଭ କରିଥିଲା । ନାବାଳିକାଙ୍କୁ ଅପହରଣ କରିନେଇଥିବା ଅଭିଯୁକ୍ତ ସୁନାଧର ନାବାଳିକାଙ୍କୁ ରାୟପୁର ତ୍ରୀମୂର୍ତ୍ତିନଗରରେ ଲୁଚାଇ ରଖି ସେଠାରୁ ଟ୍ରେନ୍‌ରେ ଫେରି ଆସୁଥିଲା । ବାଟରେ ପରିବାର ଲୋକେ ଜାଣିପାରି ତାଙ୍କୁ ଅଟକ ରଖି ପୁଲିସକୁ ସୂଚନା ଦେଇଥିଲେ । ପ୍ରଥମେ ସମ୍ପୂର୍ଣ୍ଣ ମନା କରୁଥିବା ଅଭିଯୁକ୍ତ ପୁଲିସର ଅଧିକ ତଦନ୍ତ ପରେ ସବୁ ସତ କଥା ମାନିଯାଇ ନାବାଳିକାଙ୍କୁ ଅପହରଣ କରିନେଇଥିବା ସ୍ଵୀକାର କରିଥିଲା । ଅଭିଯୁକ୍ତଙ୍କୁ ନେଇ ପୁଲିସ ଘଟଣାସ୍ଥଳରୁ ନାବାଳିକାଙ୍କୁ ଉଦ୍ଧାର କରିଥିଲା । ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ଉଭୟଙ୍କ ଡାକ୍ତରୀମାଇନା କରିବା ସହ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ନାବାଳିକାଙ୍କ ବୟାନ ରେକର୍ଡ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ପୁଲିସ ଅଧିକ ତଦନ୍ତ ପରେ ନାବାଳିକା ଅପହରଣକାରୀ ଅଭିଯୁକ୍ତ ସୁନାଧରଙ୍କୁ ଗିରଫ କରି ପୋକସୋ ମାମଲାରେ ତଥା ନୂତନ ବିଏନ୍‌ଏସ୍‌ର ବିଭିନ୍ନ ଦଫାରେ ବଲାଙ୍ଗିର ପୋକସୋ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି । ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ୩ ସନ୍ତାନର ବାପା ଅପହରଣ କରିନେଇ ରାୟପୁରରେ ଲୁଚାଇ ରଖିଥିବା ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

purusottam
Leave A Reply

Your email address will not be published.