ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ୧୭ତମ ବୈଜ୍ଞାନିକ ଉପଦେଷ୍ଟା କମିଟିର ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ୧୭ତମ ବୈଜ୍ଞାନିକ ଉପଦେଷ୍ଟା କମିଟିର ସ୍ବତନ୍ତ୍ର ବୈଠକ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କେଭିକେର ବରିଷ୍ଠ ବୈଜ୍ଞାନିକ ତଥା ସଂଯୋଜକ ଡ.ଜୀବନଜୀତ୍ ସେନ୍ ଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ଚଳିତ ରବିଚାଷ ସହ ଖରାଟିଆ ଚାଷ ଉପରେ ପ୍ରସ୍ତୁତ ସ୍ବତନ୍ତ୍ର କାର୍ୟ୍ୟ ଖସଡାକୁ ଅନୁମୋଦନ କରାଯାଇଛି । ବିଶେଷକରି,କେନ୍ଦ୍ରର ମୋଦୀ ସରକାର ପକ୍ଷରୁ ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିବା ଲକ୍ଷ୍ୟରେ ଚାଲିଥିବା କୃଷି ଓ କୃଷକ କଲ୍ୟାଣ ଯୋଜନାର ସଫଳ କାର୍ୟ୍ୟକାରୀ ଉପରେ ଗୁରୁତ୍ବାରୋପ କରାଯାଇଛି । ବିଭିନ୍ନ ପ୍ରକାର ଅର୍ଥକାରୀ ଫସଲ ଚାଷ ସହ ଜୈବିକ ସାର ଓ କୀଟନାଶକର ବ୍ୟବହାର,ଶସ୍ୟ ସଂରକ୍ଷଣ,କୃଷି ଯନ୍ତ୍ରପାତିର ବ୍ୟବହାର ଓ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ଉପରେ କୃଷି ବିଶେଷଜ୍ଞମାନେ ଆଲୋଚନା କରିବା ସହ ଜଳବାୟୁ ଓ ସେଚ ବ୍ୟବସ୍ଥାକୁ ନଜରରେ ରଖି ଉତ୍ପାଦକତା ବୃଦ୍ଧି ଉପରେ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି । ଏଥି ସହ କୃଷି କ୍ଷେତ୍ରରେ ଭାରତ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ ପରିଯୋଜନାକୁ ସଫଳ କରିବାକୁ ଚାଷୀଙ୍କ ସହ ମତ ବିନିମୟ କରିଛନ୍ତି । ଆଇଆଇଡବ୍ଲୁଏମ୍,ଆଇସିଏଆର୍ ସହ ଓୟୁଏଟି ଦ୍ବାରା ଆୟୋଜିତ ବୈଠକରେ ଓୟୁଏଟିର ପୱନ କୁମାର ଅଗ୍ରୱାଲା,ଡିନ୍ ତଥା ଶିକ୍ଷା ସଂପ୍ରସାରଣ ଅଧିକାରୀ ଲଲିତ ମୋହନ ଗଡନାୟକ,ଆଇସିଏଆର୍ ର ପ୍ରଭାକର ନଂଦ ଓ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଉଷା କୁମାରୀ ପ୍ରମୁଖ ଅତିଥିଭାବେ ଯୋଗଦେଇ କୃଷି ଉତ୍ପାଦକୁ ନେଇ ଆସିଥିବା ଆହ୍ବାନକୁ ନେଇ ଆଲୋଚନା କରିଥିଲେ । ବୈଠକରେ ଜିଲ୍ଲାର କୃଷି,ଉଦ୍ୟାନ ଓ ମୃତ୍ତିକା ସଂରକ୍ଷଣ ବିଭାଗ ସହ ଜିଲ୍ଲାର ଅଗ୍ରଣୀ ଚାଷୀମାନେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.