ବୌଦ୍ଧରେ ପାଳିତ ହେଲା ଜାତୀୟ ଡେଙ୍ଗୁ ଦିବସ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲା ତାଲିମ୍ କେନ୍ଦ୍ର ଠାରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି । ଡେଙ୍ଗୁ ରୋଗ କିପରି ଦୂର ହୋଇପାରିବ ସେଥିପାଇଁ କେବଳ ସାମୁହିକ ସ୍ତରରେ ନୁହଁ, ବ୍ୟକ୍ତିଗତ ସ୍ତରରେ ମଧ୍ୟ ସମାଷ୍ଟଙ୍କୁ କିପରି ସଚେତନ କରାଯାଇ ପାରିବ ସେଥିପାଇଁ ଏହି କାର୍ଯ୍ୟକ୍ରମରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଡେଙ୍ଗୁ ମଶାର ବଂଶ ବିସ୍ତାରକୁ ମୁଖ୍ୟତଃ ରୋକିବା ପାଇଁ କୌଣସି ସ୍ଥାନରେ ଯେପରି ପାଣି ଜମି ନରହେ ସେଥିପାଇଁ ସଜାଗ ରହିବା ସହିତ ସପ୍ତାହରେ ଗୋଟିଏ ଦିନ ଶୁଷ୍କ ଦିବସ ପାଳନ କରାଯିବା ଉଚିତ୍ ବୋଲି ବିଭିନ୍ନ ବକ୍ତା ଓ ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ ଓ ବିଶେଷ ଭାବରେ ପାଣି ଜମି ରହିଥିବା ସ୍ଥାନକୁ ସଫା କରିବା ପାଇଁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଜୟକୃଷ୍ଣ ମିଶ୍ର, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ମଦନ ମୋହନ ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ କର୍ମକର୍ତ୍ତା, ଆଶାକର୍ମୀ, ସଫେଇ କର୍ମଚାରୀ ଓ ସୁପର୍‌ ଭାଇଜର୍‌ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଡ. ମଦନ ମୋହନ ପ୍ରଧାନ ପରିଚାଳନା କରିଥିଲେ ଓ ଡ. ପ୍ରଧାନ ଡେଙ୍ଗୁ ରୋଗକୁ ଦୂର କରିବା ପାଇଁ ସଚେତନ ମୂଳକ ବାର୍ତ୍ତା ପ୍ରଦାନ କରିଥିଲେ । ଏହି ବର୍ଷର ବାର୍ତ୍ତା ‘ଡେଙ୍ଗୁର ନିରାକରଣ : ଆସନ୍ତା କାଲିର ନିରାପତ୍ତା ଆମର କର୍ତ୍ତବ୍ୟ’ ବୋଲି ସ୍ଲୋଗାନ ଦିଆ ଯାଇଥିଲା ।

Leave A Reply

Your email address will not be published.