ପାରିବାରିକ କଳହର କରୁଣ ପରିଣତି : ଗମ୍ଭାରୀ ଗ୍ରାମରେ ଆତ୍ମହତ୍ୟା କଲେ କନିଷ୍କ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଗମ୍ଭାରୀ ଗ୍ରାମର କନିଷ୍କ ଗଡତ୍ୟା (୫୦) । ଆଜି ସକାଳ ୩ଟା ସମୟରେ ଗୋଟିଏ ଗଛରେ ଶାଡି ବାନ୍ଧି ନିଜ ବେକରେ ଫାଶ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଗୁରୁବାର ରାତ୍ରୀ ପାଖାପାଖି ତିନିଟା ସମୟରେ ତାଙ୍କ ଚାଷ ଜମି ନିକଟରେ ଥିବା ଗୁହୁରିଆ ଗଛରେ ବେକରେ ଶାଢ଼ୀ ଲଗେଇ ଆତ୍ମହତ୍ୟା କରିଥିବା ସନ୍ଦେହ ହେଉଛି ବୋଲି ଜନସାଧାରଣରେ ଆଲୋଚନା ହେଉଛି । ଘଟଣାର ଖବର ପାଇ ଖପ୍ରାଖୋଲ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ବିଶ୍ୱସ୍ତସୂତ୍ରରୁ ପ୍ରକାଶ ଯେ, ଗୁରୁବାର ସନ୍ଧ୍ୟା ସମୟରେ ମୃତକ ଏବଂ ତାଙ୍କ ପୁତୁରାଙ୍କ ମଧ୍ୟରେ ପାରିବାରିକ କଳହ ହୋଇଥିବା ଜଣାପଡିଛି । ଯାହାଫଳରେ ମୃତକ କନିଷ୍କ ଏହିଭଳି କଠୋର ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ଶୁଣିବାକୁ ମିଳୁଛି । କାରଣ ଯାହା ବି ହେଉନା କାହିଁକି ଆତ୍ମହତ୍ୟା କୌଣସି ସମାଧାନ ନୁହେଁ, ନିଜ ପରିବାରର ଭବିଷ୍ୟତ ବାବଦରେ ଚିନ୍ତା ନକରି ଆତ୍ମହତ୍ୟା କରି ପୁରୁଷ ଜଣକ କ’ଣ ପାଇଲେ ବୋଲି ଗ୍ରାମବାସୀ ଦୁଃଖର ସହିତ କହୁଛନ୍ତି । ଅନ୍ୟପଟେ ପରିବାର ଲୋକ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଶବକୁ ଧରି ଅପରାହ୍ନ ପର୍ଯ୍ୟନ୍ତ ରାସ୍ତା ପାଖରେ ବସି ରହିଥିଲେ । ପରେ ପୋଲିସ ତାଙ୍କୁ ବୁଝାସୁଝା କରିବାରୁ ଶବ ବ୍ୟବଚ୍ଛେଦ ପାଇଁ ପୋଲିସକୁ ହସ୍ତାନ୍ତର କରିଥିଲେ । ଏନେଇ ଖପ୍ରାଖୋଲ ଥାନା ୟୁ ଡି କେସ୍‌ ନଂ ୫/୨୦୨୪ରେ ଏକ ମାମଲା ଋଜୁ ହୋଇଥିବା ବେଳେ ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.