ଭଲ ଭାବେ ଠିଆ ହୋଇ ପାରୁନଥିବା ବୃଦ୍ଧ ପ୍ରଚଣ୍ଡ ଖରାରେ ଭତ୍ତା ପାଇଁ ବ୍ୟାଙ୍କର ଦ୍ୱାରସ୍ଥ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସାମାଜିକ ସୁରକ୍ଷା ଯୋଜନାରେ ଅସହାୟ ଗରିବ ବୃଦ୍ଧବୃଦ୍ଧାଙ୍କୁ ସରକାରଙ୍କ ପକ୍ଷରୁ ବାର୍ଦ୍ଧକ୍ୟ ଭତ୍ତା ମାସିକ ସାମାନ୍ୟ କିଛି ଟଙ୍କା ମିଳିଥାଏ । ଉକ୍ତ ସହାୟତା ରାଶି ପାଇବା ପାଇଁ ବୃଦ୍ଧବୃଦ୍ଧା ପ୍ରତ୍ୟେକ ମାସରେ ଚାହିଁ ରହିଥାନ୍ତି । ମାତ୍ର ବିଭାଗ ପକ୍ଷରୁ କେତେକ ହିତାଧିକାରୀଙ୍କ ଭତ୍ତା ବ୍ୟାଙ୍କ ଜରିଆରେ ଦେବାକୁ ନିଷ୍ପତ୍ତି ହେବା ପରେ ବହୁ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଜଣାପଡିଛି । ପୂର୍ବରୁ ପ୍ରତି ମାସ ୧୫ ତାରିଖରେ ପଞ୍ଚାୟତ ଅଫିସ୍‌ରେ ସଂପୃକ୍ତ ନିର୍ବାହୀ ଅଧିକାରୀ ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କରୁଥିଲେ । ଗତ କିଛି ମାସ ତଳେ ବ୍ୟାଙ୍କ ଜରିଆରେ ଭତ୍ତା ପ୍ରଦାନ କରିବା ନେଇ ନିଷ୍ପତ୍ତି ନେବା ପରେ ହିତାଧିକାରୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ବ୍ଲକ୍‌ର ଦୂର ଦୂରାନ୍ତରେ ଥିବା ବାର୍ଦ୍ଧକ୍ୟ ଲୋକଙ୍କ ଅବସ୍ଥା ଚିନ୍ତା ନକରି ବ୍ଲକ୍‌ ସଦର ମହକୁମାରେ ଥିବା ବ୍ୟାଙ୍କମାନଙ୍କରେ ଜମାଖାତାକୁ ଏହି ଭତ୍ତା ଟଙ୍କା ପଠାଯାଉଛି । ଏପରି ଅଭିଯୋଗ ଆଣିଥିବା ଜଣେ ହିତାଧିକାରୀ ହେଲେ ଖପ୍ରାଖୋଲ ବ୍ଲକ୍‌ ଓଡ଼ିଆପାଲି ପଞ୍ଚାୟତ ଅନ୍ତର୍ଗତ ଭାଲୁଡୁଙ୍ଗରି ଗ୍ରାମର ଶ୍ରୀମତୀ ଦାୟମତି ବରିହା( ୭୩) ଓ ତାଙ୍କ ସ୍ୱାମୀ ବୈଦାର ବରିହା । ବୟସର ଅପରାହ୍ନରେ ଅସହାୟ ବୃଦ୍ଧବୃଦ୍ଧା । ଖୋଜୁଛନ୍ତି ସାହାରା । ବୟସ ଜଣଙ୍କୁ ୭୩ ଏବଂ ଅନ୍ୟ ଜଣଙ୍କୁ ୭୯ ହେବ । ଚାଲିବା ପାଇଁ ଶକ୍ତି ନାହିଁ । ଠିକରେ କଥା ବି କହିପାରୁ ନାହାନ୍ତି । ଶରୀରର ପଞ୍ଜରା ହାଡ଼ ବି ଗଣି ହେଇଯାଉଛି । ଏଭଳି ଅବସ୍ଥାରେ ପ୍ରଚଣ୍ଡ ଖରାରେ ଭତ୍ତା ପାଇଁ ପାଖାପାଖି ୬ କିଲୋମିଟର ଖପ୍ରାଖୋଲରେ ଥିବା ବ୍ୟାଙ୍କକୁ ଟଙ୍କା ଉଠାଇବା ପାଇଁ ଆସି ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ତେବେ ଏହିଭଳି ବୃଦ୍ଧବୃଦ୍ଧାଙ୍କୁ ବ୍ୟାଙ୍କ କର୍ମଚାରୀ ଘରକୁ ନେଇ ଭତ୍ତା ଟଙ୍କା ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି । ତେବେ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉ ନଥିବାରୁ ବୃଦ୍ଧବୃଦ୍ଧା ହଇରାଣ ହେଉଛନ୍ତି । ଏ ନେଇ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିବେକାନନ୍ଦ ଷଡ଼ଙ୍ଗୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଘଟଣାର ଅନୁଧ୍ୟାନ କରିବେ ଏବଂ ଭତ୍ତା ନଗଦ ଟଙ୍କା ହିସାବରେ ଦେବାକୁ ସଂପୃକ୍ତ ନିର୍ବାହୀ ଅଧିକାରୀଙ୍କୁ କହିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Leave A Reply

Your email address will not be published.