
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍କୁ ଲୋକପାଳ ସଚ୍ଚିଦାନନ୍ଦ ହନୁମାନ ପହଂଚି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅନିୟମିତା ଅଭିଯୋଗର ତଦନ୍ତ କରିଥିଲେ । ଅଭିଯୋଗ ଦୁଇଟି ହେଲା ତେଲେନପାଲି ପଂଚାୟତ ଡୁଡୁକିପଦର ଗାଁ ଗୋଚର ଏରିଆରେ ୨୦୨୩ରେ ଟିସିବି କାମ ହୋଇଛି । ୯ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିବା ପ୍ରକଳ୍ପରେ ୮ ଲକ୍ଷ ୮୩ ହଜାର ୮୪୦ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି । ଏହି ପ୍ରକଳ୍ପରେ କାମ କରିନଥିବା ବ୍ୟକ୍ତିଙ୍କ ନାମରେ ମଜୁରୀ ପଡ଼ିଥିବା ଅଭିଯୋଗ ହୋଇଛି । ଏନେଇ ଗତ ଜାନୁୟାରୀ ୧୭ ତାରିଖ ଦିନ ୱାର୍ଡ ମେମ୍ବର ଅନୁସୟା ଧରୁଆ ଓ ଅନ୍ୟମାନେ ଗ୍ରାମ ପଂଚାୟତରେ ଗାଁ ସାଥୀଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ସରପଂଚ ଶକୁନ୍ତଳା ବେହେରା ବ୍ଲକ୍ ମାଧ୍ୟମରେ ଗତ ଫେବୃଆରୀ ୨୦ରେ ଲୋକପାଳଙ୍କୁ ଜଣାଇଥିଲେ । ଏହାକୁ ଭିତ୍ତି କରି ଲୋକପାଳ ଉଭୟ ପକ୍ଷକୁ ଡାକି ତଦନ୍ତ କରିଥିଲେ । ସେହିପରି ମାଟିଆଭଟା ପଂଚାୟତ ପୁତୁଲାମହୁଲ ଗାଁରେ ୧୦ ଜଣଙ୍କୁ ଜମି ମରାମତି ବାବଦରେ ୨୦୨୨ରେ ମିଛ କାର୍ଯ୍ୟାଦେଶ ବଂଟନ କରିବା ସହ ଲୋକଙ୍କଠାରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା । ଏହି ସମ୍ପର୍କରେ ମଧ୍ୟ ଉଭୟ ପକ୍ଷକୁ ଡାକି ବ୍ଲକ୍ ସଭାଗୃହରେ ତଦନ୍ତ କରିଥିଲେ । ଏହି ଅବସରରେ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ସହକାରୀ ନିର୍ବାହୀ ଯନ୍ତ୍ରୀ କୁଳମଣି ଭୋଇ, ତେଲେନପାଲି ସରପଂଚ ଶକୁନ୍ତଳା ବେହେରା, ମାଟିଆଭଟା ସରପଂଚ ସନ୍ତୋଷିନୀ ବରିହା, ଜିଆର୍ଏସ୍ ସଦାନନ୍ଦ ମାଝୀ, ସୁଧର୍ମା ବେହେରା, କନିଷ୍ଠ ଯନ୍ତ୍ରୀ ଦିଲୀପ ରାଉତ, ଦୀପକ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏନେଇ ଲୋକପାଳଙ୍କୁ ପଚାରିବାରୁ ତଦନ୍ତ ଚାଲିଛି, ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପ୍ରକାଶ କରିଛନ୍ତି । ତଦନ୍ତ ପରେ ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପ୍ରଶାସନ ନା ମାମଲା ଫୁସ୍କି ଯିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର୍ ଧରିଛି ।