
ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ଚାଞ୍ଚଲ୍ୟ। ବାଗଡ଼ିଆ ଥାନା କଣଲୋଇ ଗାଁରେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ୩୬ ବର୍ଷୀୟ ଦିଲୀପ କୁମାର ସେଠୀ। ସେ ପେସାରେ ଜଣେ ଟ୍ରାକ୍ଟର ଚାଳକ ଥିଲେ। ଦିଲୀପଙ୍କ ଶରୀରର ବିଭିନ୍ନ ସ୍ଥାନରେ କଟାଦାଗ ରହିଥିବାରୁ ତାଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି। ସୂଚନା ଅନୁଯାୟୀ, ଗାଁରେ ମା’ ଦୁର୍ଗାଙ୍କ ପୂଜା, ଅସ୍ତ୍ରଶସ୍ତ୍ର ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅପେରା ଚାଲିଥିଲା। ଏହି ଉତ୍ସବର ମାହୋଲ ଭିତରେ ବିଳମ୍ବିତ ରାତିରେ ଦିଲୀପଙ୍କ ରକ୍ତାକ୍ତ ମୃତଦେହ ମିଳିବା ଘଟଣାକୁ ନେଇ ଗାଁରେ ଆଲୋଡ଼ନ ସୃଷ୍ଟି ହୋଇଛି। ଖବର ପାଇ ବାଗଡ଼ିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଭାବେ ପରକୀୟା ପ୍ରୀତିକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ହତ୍ୟା ପଛର ପ୍ରକୃତ କାରଣ ଓ ଅଭିଯୁକ୍ତଙ୍କ ସମ୍ପର୍କରେ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।