ଆନ୍ତଃ ବିଦ୍ୟାଳୟ ବିଜ୍ଞାନ ଚିତ୍ରାଙ୍କନ ଓ ଚିତ୍ରକଳା ପ୍ରଦର୍ଶନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲଠାରେ ଆନ୍ତଃ ବିଦ୍ୟାଳୟ ବିଜ୍ଞାନ ଚିତ୍ରାଙ୍କନ ଓ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ଜଳଧର ମହାପାତ୍ରଙ୍କ ଅଧ୍ୟକ୍ଷତା, ଉପାଧ୍ୟକ୍ଷ ଲଲାଟେନ୍ଦୁ ମହାନ୍ତିଙ୍କ ଆବାହକତ୍ଵ ଓ ଶିକ୍ଷୟିତ୍ରୀ ନମ୍ରତା ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେକ୍ଟର ୬ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ସୁଜିତ ରାୟ ମୁଖ୍ୟ ଅତିଥି ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବା ସହ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ । ସୂଚନାଯୋଗ୍ୟ ଯେ ଏହି ପ୍ରଦର୍ଶନୀରେ ୧୫୦ଟି ବିଜ୍ଞାନ ପ୍ରକଳ୍ପ ଓ ୩୦୦ରୁ ଅଧିକ ଚିତ୍ରାଙ୍କନ ତଥା ଚିତ୍ରଶିଳ୍ପ ପ୍ରଦର୍ଶିତ କରାଯାଇଥିଲା । ଏହି ଅବସରରେ ଅତିଥି ଦ୍ୱୟ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ଏଭଳି ପ୍ରଦର୍ଶନୀ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଆଭ୍ୟନ୍ତରୀଣ ଗୁଣର ବିକାଶ ହେବା ସହ ସେମାନଙ୍କ ସୃଜନଶୀଳତା ଦେଶ ବିକାଶରେ ସହାୟକ ହେବ । ଏଥିପାଇଁ ଛାତ୍ରଛାତ୍ରୀମାନେ ଅଭ୍ୟାସ, ମନୋନିବେଶ, ଏକାଗ୍ରତା ଓ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ ଦେବାକୁ ତଥା ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଭାଗିତାକୁ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ମହାପାତ୍ର ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ସମ୍ପର୍କରେ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ପ୍ରଦର୍ଶନୀରେ ବିଜ୍ଞାନ ପ୍ରକଳ୍ପର ବିଚାରକ ଭାବେ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଶିକ୍ଷୟିତ୍ରୀ ରଜନୀ ତିରୁ ଓ କଲ୍ୟାଣୀ ପଣ୍ଡା ତଥା ଚିତ୍ରକଳା ଓ ଚିତ୍ରାଙ୍କନ ଗୁଡ଼ିକୁ ଚିତ୍ରଶିଳ୍ପୀ ଦେବେନ୍ଦ୍ର ମହାରଣା ବିଚାରକ ଭାବେ ମୂଲ୍ୟାୟନ କରିଥିଲେ । ଏହି ଅବସରରେ ଅତିଥିମାନେ ସ୍କୁଲ ପରିସରରେ ବୃକ୍ଷ ରୋପଣ କରିଥିଲେ । ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ସ୍ୱେଚ୍ଛାସେବୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.