ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ବଣଭୋଜି ଓ ଆଲୋଚନା ସଭା ସ୍ଥାନୀୟ କଦଳୀମୁଣ୍ଡା ନର୍ସରୀରେ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ ୨୦୧୭ ମସିହାରୁ ଏହି ଅନୁଷ୍ଠାନ ଗଠନ ହେବା ଦିନଠାରୁ ପ୍ରତିବର୍ଷ (କରୋନା ସମୟ ବ୍ୟତୀତ) ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି । କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଶିଷ୍ଟ ସମାଜସେବୀ ଶ୍ରୀକର ମିଶ୍ର ବିଶେଷ ଅତିଥି ରୂପେ ଯୋଗଦେଇ ଉପସ୍ଥିତ ସଦସ୍ୟମାନଙ୍କୁ ଉଦ୍ବୋଧନ ଦେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଅନୁଷ୍ଠାନର ସଭାପତି ନାରାୟଣ ପାଢ଼ୀଙ୍କ ସଭାପତିତ୍ୱରେ ଓ ସଭ୍ୟ ମଧୁସୂଦନ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଆଲୋଚନା ସଭାରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ଅନଙ୍ଗଉଦୟ ସିଂହଦେଓ ମୁଖ୍ୟ ଅତିଥି ଓ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ନିଜସ୍ୱ ବକ୍ତବ୍ୟ ଉପସ୍ଥାପନା କରିଥିଲେ । ଶ୍ରୀମତୀ ଲିକା ସାହୁ ସହର ଭିତରେ ବରିଷ୍ଠ ନାଗରିକ ମଞ୍ଚ ପାଇଁ ଗୋଟିଏ ସ୍ଥାନ ଯୋଗାଇ ଦେବାକୁ ଦୃଢ ପ୍ରତିଶୃତି ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ବତନ ସଭାପତି ପ୍ରଭାକର ମିଶ୍ରଙ୍କ ସମେତ କୋଷାଧ୍ୟକ୍ଷ ନରେନ୍ଦ୍ର କୁମାର କବାଟ, ସଭ୍ୟ ସୁରେନ୍ଦ୍ର କୁମାର ନେଗୀ, କପିଳେଶ୍ୱର ଖମାରୀ, ଚୂଡେନ୍ଦ୍ର ବେହେରା, ପ୍ରଦ୍ୟୁମ୍ନ ଗଡତ୍ୟା, ଗୌର କିଶୋର ପୁରୋହିତ ପ୍ରମୁଖ ବିଶେଷ ସହଯୋଗ ପ୍ରଦାନ କରିଥିଲେ । ସମ୍ପାଦକ ଅଶୋକ କୁମାର ଚାନ୍ଦ ଅତିଥି ତଥା ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post