jayashree

କଳା ମଣ୍ଡଳ ସମ୍ମିଳନୀ କେନ୍ଦ୍ର ନିର୍ମାଣ କାମର ଅଗ୍ରଗତି ସମୀକ୍ଷା କଲେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍

  • ଚାରିମାସ ମଧ୍ୟରେ କାମ ଶେଷ କରିବାକୁ ନିର୍ଦ୍ଦେଶ
  • ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅବସରରେ ଲୋକାର୍ପିତ ହେବ ଅକ୍ଷର ଭୂମି
  • ସମ୍ମିଳନୀ ସ୍ମୃତିକୁ ଚିରସ୍ମରଣୀୟ କରିବ ଅକ୍ଷର ଭୂମି
  • ଓଡ଼ିଆ ଭାଷାର ଅସ୍ମିତାର ପରିଚୟ ହେବ

ଭୁବନେଶ୍ୱର : ଆସନ୍ତା ଫେବୃୟାରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ ଭୁବନେଶ୍ଵରର କଳା ମଣ୍ଡଳ ପରିସରରେ ନିର୍ମିତ ହେଉଛି ଅକ୍ଷର ଭୂମି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକୁ ୫-ଟି ତଥା ଆମ ଓଡିଶା ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି. କେ. ପାଣ୍ଡିଆନ ଆଜି ସକାଳେ କଳା ମଣ୍ଡଳ ଯାଇ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଦୁଇହଜାର ସ୍ଥାନ ବିଶିଷ୍ଟ କଳା ମଣ୍ଡଳ ସମ୍ମିଳନୀ କେନ୍ଦ୍ର ହେବ ରାଜ୍ୟର ସବୁଠାରୁ ବଡ ସମ୍ମିଳନୀ କେନ୍ଦ୍ର । ଆଗାମୀ ଚାରିମାସ ମଧ୍ୟରେ ଏହାର ନିର୍ମାଣ କାମ ଶେଷ କରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ । କଳା ମଣ୍ଡଳର ଆଭ୍ୟନ୍ତରୀଣ ସାଜସଜା ଓଡ଼ିଆ ସଂସ୍କୃତି ଓ ଐତିହ୍ୟର ପୃଷ୍ଠଭୂମି ଢାଞ୍ଚାରେ କରିବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ ଯେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଏହି ସମ୍ମିଳନୀ କେନ୍ଦ୍ରର ନିର୍ମାଣ ଦାୟିତ୍ଵ ଆଇଡିସିଓ ନେଇଛି । ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀକୁ ଚିରସ୍ମରଣୀୟ କରିବା ପାଇଁ କଳା ମଣ୍ଡଳ ପରିସରରେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କରାଯାଉଥିବା ଅକ୍ଷର ଭୂମି କାମ ମଧ୍ୟ ଶ୍ରୀ ପାଣ୍ଡିଆନ୍ ବୁଲି ଦେଖିଥିଲେ । ଖାଣ୍ଡେଲାଇଟ ପଥରରେ କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ୟର ଅପୂର୍ବ ନିଦର୍ଶନ ହେବ । ଏହା ଆମର ମହାନ୍ ଐତିହ୍ୟ ଓ ଶାସ୍ତ୍ରୀୟ ଓଡ଼ିଆ ଭାଷାର ଗୌରବ ବିଷୟରେ ଅକ୍ଷର ଭୂମି ଭବିଷ୍ୟତର ପିଢିକୁ ପ୍ରେରଣା ଦେଇ ଚାଲିବ ଏବଂ ଓଡିଆ ଭାଷାର ଅସ୍ମିତାର ପରିଚୟ ହେବ ବୋଲି ଶ୍ରୀ ପାଣ୍ଡିଆନ୍ ଆଶା ବ୍ୟକ୍ତ କରିଥିଲେ । ସେଠାରେ ମଧ୍ୟ ଏକ ଓଡ଼ିଆ ଭାଷା ସମ୍ମିଳନୀ ସ୍ମୃତି ତୋରଣ ନିର୍ମାଣ କରାଯାଉଛି । ଏହି ଅକ୍ଷର ଭୂମି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ ପାଣ୍ଡିଆନ୍ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାର ନିର୍ମାଣ କାର୍ଯ୍ୟ ଉଭୟ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଓ ପୂର୍ତ୍ତ ବିଭାଗ ସହଯୋଗରେ କରାଯାଉଛି । ଭବିଷ୍ୟତ ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି ଅଧିକ ଖୋଲା ସ୍ଥାନ ରଖିବା ଏବଂ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବେସ୍‌ମେଣ୍ଟରେ ପାର୍କିଂ ବ୍ୟବସ୍ଥାର ବିକାଶ ପାଇଁ ସ୍ଥିର କରାଯାଇଥିଲା । କ୍ୟାମ୍ପସରେ ଅଧିକ ଗଛ ଲଗାଇ ଏହାକୁ ସବୁଜ ସୁନ୍ଦର କରିବା ତଥା ବିଭିନ୍ନ ପରିବେଶ ଅନୁକୂଳ ଜିନିଷ ବ୍ୟବହାର କରିବା ପାଇଁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ । ୫-ଟି ଅଧ୍ୟକ୍ଷଙ୍କ ଏହି ଗସ୍ତ ସମୟରେ ବିଡିଏ ଉପାଧ୍ୟାକ୍ଷ ବଲୱନ୍ତ ସିଂ, ଏମ୍‌ଡି ଆଇଡିସିଓ ଭୂପିନ୍ଦର ସିଂ ପୁନିଆ, ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ମଧୁସୂଦନ ଦାଶ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.