ପୁଡ଼ିସରା ଗ୍ରାମରେ ସାନଭାଇକୁ ମରଣାନ୍ତକ ଆକ୍ରମଣ କରି ଜେଲଗଲା ବଡଭାଇ

  • ଗାଁରେ ଦବଙ୍ଗଗିରି, କାବୁ କରିବାକୁ ଯାଇ ଥାନା ପୁଲିସ ନାକେଦମ୍

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ପଞ୍ଚାୟତ ପୁଡ଼ିସରା ଗ୍ରାମରେ ନିଜ ସାନଭାଇ ବିପିନ ଜାଲ (୪୨)ଙ୍କୁ ନିସ୍ତୁକ ମାଡ ମାରିବା ସହ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଅଭିଯୁକ୍ତ ବଡଭାଇ ସୁରେଶ ଜାଲ (୫୪)ଙ୍କୁ ଜେଲ ଯିବାକୁ ପଡିଥିବା ଜଣାପଡିଛି । ଅନ୍ୟପକ୍ଷରେ ଅଭିଯୁକ୍ତ ଗାଁରେ ଦବଙ୍ଗଗିରି କରିବା ବେଳେ ତାଙ୍କୁ କାବୁ କରିବାକୁ ଯାଇ ମୁରିବାହାଲ ଥାନା ପୁଲିସ ନାକେଦମ ହୋଇଥିବା ଦେଖିବାକୁ ମିଳିଥିଲା । ପୁଲିସ୍ ସୂତ୍ରରୁ ପ୍ରକାଶ ଯେ, ଅଭିଯୁକ୍ତ ସୁରେଶ ଜାଲ(୫୪) ପ୍ରତିଦିନ ନିଜ ପରିବାର ସହ ଗାଁରେ ଗଣ୍ଡଗୋଳ, ଦବଙ୍ଗଗିରି କରିଥାନ୍ତି । ପୂର୍ବରୁ ମଧ୍ୟ ନିଜ ପରିବାର ଲୋକଙ୍କୁ ମାଡ଼ ମାରିବା ଅଭିଯୋଗରେ ତାଙ୍କ ନାମରେ ଥାନାରେ ମାମଲା ରହିଛି । ମଙ୍ଗଳବାର ଦିନ ପୂର୍ବାହ୍ନରେ ଅଭିଯୁକ୍ତ ସୁରେଶ ନିଜ ସାନଭାଇ ବିପିନ ଜାଲଙ୍କୁ ନିସ୍ତୁକ ମାଡ ମାରିବା ସହ ମରଣାନ୍ତକ ଆକ୍ରମଣ କରିଥିଲୋ । ଏ ନେଇ ଗୁରୁତର ବିପିନଙ୍କଠାରୁ ସୁଚନା ପାଇ ମୁରିବାହାଲ ଥାନା ପୁଲିସର କିଛି କର୍ମଚାରୀ ତାଙ୍କୁ କାବୁ କରିବାକୁ ଗାଁରେ ପହଞ୍ଚିଥିଲେ । ସେ କିଛି ପୁଲିସ୍ କର୍ମଚାରୀଙ୍କୁ ଦେଖି ଆହୁରି ଉତ୍ତ୍ୟକ୍ତ ହୋଇ ସେମାନଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ପରେ ଥାନାରୁ ଅଧିକ ସଂଖ୍ୟକ ପୁଲିସ କର୍ମଚାରୀ ପହଞ୍ଚି ଅଭିଯୁକ୍ତ ସୁରେଶଙ୍କୁ କାବୁ କରି ବାନ୍ଧି ଥାନା ଗାଡ଼ିରେ ଥାନାକୁ ଆଣିଥିଲେ । ଆହତ ବିପିନଙ୍କ ଏତଲା ଆଧାରରେ ପୁଲିସ କେସ ନଂ ୩୪୮/୨୩ ରୁଜ୍ଜୁ କରି ଡ଼ାକ୍ତରୀ ପରୀକ୍ଷା ଓ ଅଧିକ ତଦନ୍ତ ପରେ ସୁରେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ସବ୍‌ ଇନ୍‌ସ୍ପେକ୍ଟର ଦନାର୍ଦନ ଓରାମ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.