ସପ୍ତଦିବସୀୟ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡସ୍ଥିତ ହୃଷିକେଶ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସପ୍ତଦିବସୀୟ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଧାମରା ବସ୍ତିଠାରେ ଆରମ୍ଭ ହୋଇଯାଇଛି । ଉଦ୍‌ଘାଟନୀ ଦିବସରେ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଦିପ୍ତିମୟୀ ମହାପାତ୍ରଙ୍କ ଅଧ୍ୟକ୍ଷତା ଓ କାର୍ଯ୍ୟକ୍ରମର ଆବାହକ ଅଧ୍ୟାପକ ହରିଶଚନ୍ଦ୍ର ମିଶ୍ରଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟାପକ ଚନ୍ଦ୍ରମଣି ମାଝୀ ମୁଖ୍ୟ ଅତିଥି ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟବକ୍ତା ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ମାଝୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ଛାତ୍ରଛାତ୍ରୀଙ୍କ ଶିକ୍ଷା ସହ ସାମାଜିକ ପ୍ରତିବଦ୍ଧତାକୁ ଗୁରୁତ୍ୱ ଦିଆଯାଇ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ କରାଯାଉଛି । ଏହାସହ ସେ ସ୍ୱଚ୍ଛତା, ସମୟାନୁବର୍ତ୍ତିତା, କର୍ତ୍ତବ୍ୟ ପରାୟଣତା, ଆଗ୍ରହ, ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ ଚଳିତ ବର୍ଷର ଥିମ୍ ‘ମୋ ପାଇଁ ନୁହେଁ ଅନ୍ୟମାନଙ୍କ ପାଇଁ’କୁ ନେଇ କହିଲେ ଯେ ୧୯୬୯ ମସିହାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ଏଥିରେ ଯୋଗ ଦେଉଥିବା ଛାତ୍ରଛାତ୍ରୀ ସାମାଜିକ ଦାୟିତ୍ୱବୋଧ ଓ ନିଜସ୍ୱ ଆଭ୍ୟନ୍ତରୀଣ ଗୁଣ ବିକଶିତ କରିବା ପାଇଁ ସହାୟକ ହୋଇଥାଏ । ଏପରି ସାମାଜିକ କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥାଏ ବୋଲି ମତ ରଖିଥିଲେ । ଅଧ୍ୟକ୍ଷା ଶ୍ରୀମତୀ ମହାପାତ୍ର ଏହି ଯୋଜନା ୩ବର୍ଷ ଧରି ବିଦ୍ୟାଳୟ ତରଫରୁ ଆୟୋଜନ କରାଯାଉଥିବା ବେଳେ ଏହି କାର୍ଯ୍ୟକ୍ରମର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ । ଆବାହକ ଶ୍ରୀ ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସାତଦିନ ବ୍ୟାପି ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସପ୍ତଦିବସୀୟ କାର୍ଯ୍ୟକ୍ରମରେ ଯୋଗ, ପ୍ରାର୍ଥନା,ବସ୍ତି ସଫେଇ, ନିଶା ନିବାରଣ ରାଲି, କଲୋରା ଓ ହଇଜା ସମ୍ପର୍କିତ ତଥା ସାକ୍ଷରତା ସଚେତନତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ରହିଛି । ଏହି କାର୍ଯ୍ୟକ୍ରମରେ ରଞ୍ଜିତ ପଲେଇ, ଶରତ ପାତ୍ର, ଜ୍ୟୋତିଷ କୁମାର ଦାସ, ସସ୍ମିତା ପ୍ରଧାନ, ସୂର୍ଯ୍ୟନାରାୟଣ ପଣ୍ଡା, ଛାତ୍ର ଲକି ମିଶ୍ର, ବିଶ୍ୱଜିତ ଜେନାଙ୍କ ସହ ବହୁ ଛାତ୍ର ଉପସ୍ଥିତ ରହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.