ଚିନ୍ମୟ ବିଦ୍ୟାଳୟରେ ୩୮ତମ କ୍ରୀଡା ଉତ୍ସବ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୭ସ୍ଥିତ ଚିନ୍ମୟ ବିଦ୍ୟାଳୟରେ ୩୮ତମ ଦ୍ୱି-ଦିବସୀୟ କ୍ରୀଡା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ବିଦ୍ୟାଳୟର ସମ୍ପାଦକ ବାବୁରାମ ମିଶ୍ରଙ୍କ ସଭାପତିତ୍ୱ ଓ ପ୍ରଧାନ ଶିକ୍ଷୟିତ୍ରୀ ଇ.ସୁଜାତାଙ୍କ ଆବାହକତ୍ଵରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ଜିଲ୍ଲା କ୍ରୀଡା ଅଧିକାରୀ ସୁଦୀପ୍ତ ନାୟକ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଆର୍‌ଏସ୍‌ପିର ମହାପ୍ରବନ୍ଧକ ଡ. ପ୍ରଶାନ୍ତ କୁମାର ପାଢ଼ୀ ଓ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆଶ୍ରୀବଚନ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ ଶିକ୍ଷା ସହ କ୍ରୀଡ଼ା ପରିପୂରକ ଥିବା ବେଳେ ଆଜି ଆମେ ଯାହା ହୋଇଛୁ ତାହା ମୂଳରେ ବିଦ୍ୟାଳୟର ଅବଦାନ ଅନେକ । ଏହା ସହ ସରକାରଙ୍କ କ୍ରୀଡା ନୀତି ସମ୍ପର୍କରେ ବ୍ୟାଖ୍ୟାନ କରିଥିଲେ । ସମ୍ମାନିତ ଅତିଥି ଡ. ପାଢ଼ୀ ଶାନ୍ତି ମନ୍ତ୍ରଦ୍ୱାରା ବ୍ୟକ୍ତି ତଥା ସମାଜର ମଙ୍ଗଳ ଓ କ୍ରୀଡା ମାଧ୍ୟମରେ ଭାଇଚାରା ଓ ସୌହାର୍ଦ୍ଧପୂର୍ଣ୍ଣ ବାତାବରଣ ସୃଷ୍ଟି କରେ ବୋଲି ମତ ରଖିଥିଲେ । ମୁଖ୍ୟବକ୍ତା ଶ୍ରୀ ଦାଶ କ୍ରୀଡାକୁ ସରକାର ପ୍ରୋତ୍ସାହନ ଦେଉଥିବା ବେଳେ କ୍ରୀଡା ପ୍ରତିଯୋଗିତା ମାଧ୍ୟମରେ ଆଭ୍ୟନ୍ତରୀଣ ଶକ୍ତିର ବିକାଶ ତଥା ଦୃଢ ମନୋବଳ ବଢାଇବାରେ ଏହାର ଉପଯୋଗୀତା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଭାପତି ଶ୍ରୀ ମିଶ୍ର ସଭାପତିତ୍ୱ ଅଭିଭାଷଣ ସହ ବିଦ୍ୟାଳୟର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଏକ ସୁନାଗରିକ କରି ଗଢି ତୋଳିବା ପାଇଁ ପ୍ରତିଶୃତିବଦ୍ଧ ବୋଲି କହିଥିଲେ । ଏହି ଅବସରରେ ଅଭିଭାବକ କରମଚାନ୍ଦ ଜେନା ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ଛାତ୍ରୀ ଅଙ୍କିତା ନାୟକଙ୍କ ଦ୍ୱାରା ଗୁରୁ ବନ୍ଦନା ନୃତ୍ୟ ଓ ଜେ. ମହାନ୍ତିଙ୍କ ନିର୍ଦ୍ଦେଶିତ ସ୍ୱାଗତ ସଂଗୀତ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ସ୍ନେହାଶୁ ବାଳା ନାୟକ ସ୍ୱାଗତ ଭାଷଣ ଓ ଶେଷରେ ସଞ୍ଜୁକ୍ତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଭିଭାବକ ଯୋଗ ଦେଇଥିବା ବେଳେ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ସେହିପରି ଉଦ୍‌ଘାଟନୀ ଉତ୍ସବରେ ଏଚ୍‌ଏଚ୍‌ ବାମୀ ଅରୂପା ନନ୍ଦଜୀ, ସାର୍ଥକ ସୌରଭ ରଥ, ଆକାଂକ୍ଷା ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.