ମଦୁଆଙ୍କୁ ପରିଚୟ ପତ୍ର ପ୍ରଦାନ ପାଇଁ ଓଡ଼ିଶା ସରକାରଙ୍କୁ ଦାବି ଜଣାଇଲା ଓଡ଼ିଶା ରାଜ୍ୟ କୃଷକ ସଂଗଠନ

ବରଗଡ, (ନିରୋଜ କୁମାର ପାଣୀ) : ମଦୁଆଙ୍କୁ ପରିଚୟ ପତ୍ର ପ୍ରଦାନ ପାଇଁ ଓଡ଼ିଶା ସରକାରଙ୍କୁ ଦାବି ଜଣାଇଲା ଓଡ଼ିଶା ରାଜ୍ୟ କୃଷକ ସଂଗଠନ । ସଂଗଠନ ପକ୍ଷରୁ କୁହାଯାଇଛି ଯେ ପରିବର୍ତ୍ତନଶୀଳ ସମୟ ଚକରେ ଆଜି ଦୁନିଆଁଟା ବହୁଳ ଭାବରେ ବଦଳିବାକୁ ବସିଥିବା ବେଳେ ପୂର୍ବର ସେ ସମୟର ବ୍ୟକ୍ତି ବିଶେଷ ଆଉ ନାହାନ୍ତି । ସମସ୍ତେ ଆଜି ମତ୍‌ଲବି । ସ୍ୱାର୍ଥପର ମଣିଷଠୁ ଆରମ୍ଭ କରି ସରକାର ପର୍ଯ୍ୟନ୍ତ ସମସ୍ତେ ଫାଇଦା ଉଠାଇ ନେବାକୁ ତତ୍ପର । ଅଣ୍ଟି ଛୁରୀ ତଣ୍ଟି କାଟିଲା ପରି ଆଜି ନିଜ ଲୋକ ସାଜୁଛନ୍ତି ଶତ୍ରୁ । ଅପରପକ୍ଷରେ ଓଡ଼ିଶା ସରକାର ତଥା କର୍ମଚାରୀଙ୍କ କଥା ନ କହିଲେ ଭଲ । ଗରିବ ଲୋକଙ୍କ ପାଇଁ କରାଯାଉଥିବା ଶହ ଶହ ଯୋଜନା ଆଜି ନାମକୁ ମାତ୍ର ତାର ଉପକାର ସାଧିତ ହେଉନାହିଁ । ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କର ଅନ୍ୟ ଏକ ବିଡ଼ମ୍ବନା ହେଲା ମଦ ବିକ୍ରିକୁ ପ୍ରୋତ୍ସାହନ ଦେବା । ରାଜସ୍ୱ ବୃଦ୍ଧି ନିମନ୍ତେ ଆଜି ସରକାର ମଦକୁ ପ୍ରାଧାନ୍ୟ ଦେଉଥିବା ଯୋଗୁଁ ରାଜ୍ୟରେ ସଡ଼କ ଦୁର୍ଘଟଣା, ଚୋରି, ଡକାୟତି, ହତ୍ୟା, ଲାଞ୍ଚ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଲୋକେ ଜମିବାଡ଼ି, ଧନ ସମ୍ପତ୍ତି ବିକ୍ରି କରି ମଦ ପିଇବା ଯୋଗୁଁ ତାଙ୍କ ଆର୍ଥିକ ସ୍ଥିତି ଶୋଚନୀୟ ହୋଇଗଲାଣି । ଅତି ଚିନ୍ତାର ବିଷୟଟି ହେଲା, ମଦ ବୋତଲକୁ ମଦୁଆମାନେ ଚାଷ ଜମିରେ ଫିଙ୍ଗି ଦେଉଛନ୍ତି । ଯାହା ଚାଷୀ ପାଇଁ ଘୋର ବିପଦର ସଂକେତ । ଚାଷଜମି ଉପରେ ବୋତଲ ଫାଟି କାଚ ପଡ଼ିବା ଯୋଗୁଁ ଉଭୟ ଚାଷୀ ଏବଂ ଗାଈ ଗୋରୁଙ୍କ ପାଇଁ ତାହା ହାନିକାରକ । ତେଣୁ ଉପରୋକ୍ତ ଏହି ସବୁ ସମସ୍ୟାକୁ ଆଖି ଆଗରେ ରଖି ପଶ୍ଚିମ ଓଡ଼ିଶା ର ଅଗ୍ରଣୀ ଚାଷୀ ସଂଗଠନ ‘ଓଡ଼ିଶା ରାଜ୍ୟ କୃଷକ ସଂଗଠନ’ ବ୍ଲକ ସଭାପତି ହାରା ଧନ ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ଅବକାରୀ ମନ୍ତ୍ରୀଙ୍କୁ ଅତାବିରା ବ୍ଲକ୍ ଅବକାରୀ ବିଭାଗଙ୍କ ମଧ୍ୟବର୍ତ୍ତୀତାରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶା ସରକାରଙ୍କ ନିଜସ୍ବ ରାଜସ୍ବ ବୃଦ୍ଧି ନିମନ୍ତେ ମଦ ଦୋକାନକୁ ବୃଦ୍ଧି କରିବାକୁ ପ୍ରୋତ୍ସାହନ ଦେଉଛନ୍ତି । ଯଦ୍ଵାରା ଦିନକୁ ଦିନ ମଦୁଆଙ୍କ ସଂଖ୍ୟା ବୃଦ୍ଧି ଘଟି ମଦ ବିକ୍ରିରେ ରାଜସ୍ବ ବୃଦ୍ଧି ପାଉଛି । ଫଳରେ ରାଜ୍ୟରେ ସଡ଼କ ଦୁର୍ଘଟଣା ଚୋରି ଡକାୟତି ହତ୍ୟା ଲାଞ୍ଚ କାରବାର, କୋର୍ଟ କଚେରୀ ଆଦି ମାମଲା ବୃଦ୍ଧି ପାଉଛି । ଏହାକୁ ଆଖି ଆଗରେ ରଖି ସରକାର ମଦୁଆଙ୍କ ପାଇଁ ସ୍ବତନ୍ତ୍ର ପରିଚୟ ପତ୍ର ପ୍ରଦାନ କରିବାକୁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ତରଫରୁ ଦାବି କରାଯାଇଛି । ଯେଉଁ ମାନଙ୍କ ପରିଚୟ ପତ୍ର ଥିବ କେବଳ ସେମାନଙ୍କୁ ମଦ କିଣିବା ତଥା ପିଇବାକୁ ଅନୁମତି ଦିଆଯାଉ । ଫଳରେ ଯାହାର ପରିଚୟ ପତ୍ର ଥିବ ତାକୁ ରାସ୍ତାରେ ଚିହ୍ନଟ କରିବା ପାଇଁ ମେସିନ୍‌ର ସହାୟତା ନେବାକୁ ପଡିବ ନାହିଁ ବୋଲି ଉଲ୍ଲେଖ କରିଛି ଓଡ଼ିଶା ରାଜ୍ୟ କୃଷକ ସଂଗଠନ । ପ୍ରକୃତରେ ଦେଖିବାକୁ ଗଲେ ଏହି ସମସ୍ୟାର ସମାଧାନ ନିହାତି ଜରୁରୀ ଅଟେ । ସରକାର ଏଥିପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ପିଢ଼ି ଏବଂ ଦେଶ ପାଇଁ ଏହା ଘୋର୍‌ ବିପଦ ସୃଷ୍ଟି କରିବ । ଏଥିରେ ସଂଗଠନର ବସନ୍ତ ବାରିକ, ଭୂଷଭାନୁ ସାହୁ, ଲୋକେଶ୍ୱର୍ ପ୍ରଧାନ ପ୍ରମୁଖଙ୍କ ସହ ସକ୍ରିୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.