lika

ନକ୍ସଲ ଅଞ୍ଚଳରେ କେନ୍ଦ୍ରୀୟ ସୁରକ୍ଷା ବଳର ସିଭିକ ଆକ୍ସନ କାର୍ଯ୍ୟକ୍ରମ

gbag

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ସ୍ଥିତ କେନ୍ଦ୍ରୀୟ ସୁରକ୍ଷା ବଳର ୧୮୯ ବାଟାଲିୟନ ଦ୍ୱାରା ରେଙ୍ଗାଲି ଉଚ୍ଚମାଧ୍ୟମିକ ବିଦ୍ୟାଳୟଠାରେ ସିଭିକ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱର ସର୍ବବୃହତ ଓ ସର୍ବଶ୍ରେଷ୍ଠ ଅର୍ଧ ସାମରିକ ବଳ ଭାବରେ କେନ୍ଦ୍ରୀୟ ସୁରକ୍ଷା ବଳ ସାରା ବିଶ୍ୱରେ ପରିଚିତ। ମାଓ ପ୍ରବଣ ବଲାଙ୍ଗିର ଜିଲ୍ଲାର ଆଇନ ଶୃଙ୍ଖଳା ରକ୍ଷା ତଥା ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ନିୟୋଜିତ ୧୮୯ ବାଟାଲିଅନ୍ ଅସାମାଜିକ କାର୍ଯ୍ୟକଲାପ ବିରୁଦ୍ଧରେ ଅଭିୟାନ ଚଲାଇବା ସହିତ ଦେଶକୁ ସୁରକ୍ଷା ଏବଂ ପରିବେଶକୁ ସ୍ୱଚ୍ଛ ରଖିବାରେ ମଧ୍ୟ ଅମୂଲ୍ୟ ଅବଦାନ ରଖିଛି । ସିଆର୍‌ପିଏଫ୍‌ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଖପ୍ରାଖୋଲଠାରେ ଥିବା ୧୮୯ ବାଟାଲିୟନ୍‌ ସିଆର୍‌ପିଏଫ୍‌ ଦ୍ୱାରା ରେଙ୍ଗାଲିଠାରେ ଗରିବ ଅସହାୟ ଲୋକଙ୍କର ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଔଷଧ ବଣ୍ଟନ, ପ୍ରାଥମିକ ସ୍କୁଲର ଛୋଟ ଛୋଟ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ବ୍ୟାଗ, ଖାତା, କଲମ, ଟିଫିନ ବକ୍ସ, ପାଣି ବୋତଲ, ପେନସିଲ ଆଦି ବଣ୍ଟନ କରାଯାଇଥିଲା । ଏହା ସହ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା । ଏହି ଅବସରରେ ୧୮୯ ବାଟାଲିଅନ କମାଣ୍ଡେଣ୍ଟ ପ୍ରଶାନ୍ତ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଭାବେ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଲଖବୀନ୍ଦର ସିଂ, ଲାଠୋର ଥାନାଧିକାରୀ ଝସକେତନ ଭୋଇ, ରେଙ୍ଗାଲି ପଞ୍ଚାୟତ ସରପଞ୍ଚ ଉମାକାନ୍ତ ମେହେର, ତେଲେନପାଲି ପଞ୍ଚାୟତ ସରପଞ୍ଚ ଶକୁନ୍ତଳା ବେହେରା, ହରିଶଙ୍କର ଜୁନିଅର କଲେଜ ପ୍ରିନସିପାଲ ବଳଭଦ୍ର ଦାସ, ରେଙ୍ଗାଲି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନବୀନ ମାଝୀ ଏବଂ ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କମାଣ୍ଡେଣ୍ଟ ଶ୍ରୀ ସାହୁ କହିଛନ୍ତି ଏଭଳି କଲ୍ୟାଣକାରି କାର୍ଯ୍ୟକ୍ରମ ନାଗରିକଙ୍କ ମଧ୍ୟରେ ସୁରକ୍ଷା ଭାବନାକୁ ବଞ୍ଚାଇଥାଏ । ଭବିଷ୍ୟତରେ ଏହିପରି ଅଧିକ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି କହିଛନ୍ତି । ଏହିପରି କାର୍ଯ୍ୟକ୍ରମ ଦ୍ୱାରା ଲୋକଙ୍କ ହୃଦୟ ଏବଂ ମନ ଜିତିବାରେ ସିଆର୍‌ପିଏଫ୍‌ ବହୁ ଆଗକୁ ଯାଇ ସେମାନଙ୍କୁ ନକ୍ସଲ ମାନଙ୍କଠାରୁ ଦୂରେଇ ଦେବ ଏବଂ ସେମାନଙ୍କୁ ମୁଖ୍ୟ ସ୍ରୋତରେ ପହଞ୍ଚାଇବ ବୋଲି ଜନସାଧାରଣରେ ଆଲୋଚନା ହେଉଅଛି ।

babaa
Leave A Reply

Your email address will not be published.