ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ପୋଟ୍ଟଲାମପୁର ଗ୍ରାମପଞ୍ଚାୟତ ଅଫିସ ନିକଟରେ ଗ୍ରାମୀଣସ୍ତରୀୟ ଏକ ଚକ୍ଷୁ ଚିକିତ୍ସା ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଶଙ୍କର ଚକ୍ଷୁ ହସ୍ପିଟାଲ ସଂଗଠନ ଏବଂ ଛତ୍ରପୁର ରୋଟାରୀ କ୍ଲବର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ଆଖପାଖ ଅଞ୍ଚଳର ବହୁ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ପ୍ରାୟ ଶତାଧିକ ଲୋକେ ଚକ୍ଷୁରୋଗ ବିଶେଷଜ୍ଞଙ୍କର ପରାମର୍ଶ ନେବାର ସୁଯୋଗ ଲାଭ କରିଥିଲେ ଏବଂ ଆଶୁ ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଥିଲେ । ମୋତିଆ ବିନ୍ଦୁ ଓ ପରଳ ଚିକିତ୍ସା ନିମନ୍ତେ ଚକ୍ଷୁ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା । ଶଙ୍କର ନେତ୍ରାଳୟର ଚକ୍ଷୁରୋଗ ବିଶେଷଜ୍ଞଙ୍କ ଦ୍ଵାରା ଏହି ଅଞ୍ଚଳରେ ପ୍ରାୟ ୧୧ଜଣ ରୋଗୀ ଆଶୁ ଆରୋଗ୍ୟ ଲାଭ ନିମନ୍ତେ ଅସ୍ତ୍ରୋପଚାର ସୁଯୋଗ ପାଇଁ ଚିହ୍ନଟ ହୋଇଥିଲେ । ସେମାନଙ୍କୁ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ହସ୍ପିଟାଲକୁ ଅସ୍ତ୍ରୋପଚାର କରାଯିବା ନିମନ୍ତେ ନାମ ରେଜିଷ୍ଟ୍ରିକରଣ ସହ ଡାକ୍ତରୀ ଚିଠା ପ୍ରଦାନ କରାଯାଇ ଶଙ୍କର ନେତ୍ରାଳୟକୁ ସ୍ଥାନାନ୍ତର କରାଯାଇଛି । ଏହି କାର୍ୟ୍ୟକ୍ରମରେ ଶଙ୍କରନେତ୍ରାଳୟ ସଂସ୍ଥାର ଡାକ୍ତରୀ ଟିମ୍ ସହ ଛତ୍ରପୁର ରୋଟାରୀକ୍ଲବ ସଭାପତି ନିରଞ୍ଜନ ପାତ୍ର, ସହକାରୀ ରୋଟାରୀ ଗଭର୍ଣ୍ଣର ଏସ୍. ରେଖା ମହାନ୍ତି, ରୋଟାରୀୟାନ୍ କେ. ବାସୁଦେବ ରାଓ, ରୋଟାରୀ ଚେୟାରମ୍ୟାନ ତଥା ହାଇକୋର୍ଟ ଓକିଲ ପଦ୍ମ ଚରଣ ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଗ୍ରାମବାସୀମାନେ ଏଭଳି ଦିନିକିଆ ଚକ୍ଷୁପରାମର୍ଶ ସେବାର ସୁଯୋଗ ପାଇଥିବା ହେତୁ ଉଦ୍ୟୋକ୍ତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।