jayashree

ଗଜପତିରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ଚାଲିଲା ୩୬ଟି ବସ୍, ଜିଲ୍ଲାର ୭ଟି ବ୍ଲକର ୧୨୬ଟି ପଞ୍ଚାୟତକୁ ଯୋଡିବ ଲକ୍ଷ୍ମୀ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନା ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି । ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ । ଏଥିରେ ମିଶନ ଶକ୍ତି ମା’ମାନଙ୍କୁ ବସ୍‌ ପରିଚଳନାର ଦାୟିତ୍ୱ ଦିଆଯାଇଛି । ଏହି ଯୋଜନାରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକମାନେ ମାତ୍ର ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାଇପାରିବେ । ଏହି ଅବସରରେ ଉଦ୍‌ବୋଧନ ଦେଇ ଗଜପତି ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତରୁ ଲୋକଙ୍କ ଯିବା ଆସିବାର ଅସୁବିଧା ବିଷୟରେ ମୁଁ ଜାଣିବା ପରେ ଆମର ଏହି ଲକ୍ଷ୍ମୀ ଯୋଜନା ଆରମ୍ଭ କରାଗଲା। ଆମର ଗମନାଗମନ ଓ ପରିବହନ ବ୍ୟବସ୍ଥାରେ ଏହା ରୂପାନ୍ତର ଆଣିବ । ଗାଁ କୁ ଗାଁ ସହିତ ଯୋଡିବ। ଲୋକଙ୍କ ସାମାଜିକ ସମ୍ପର୍କ ମଜବୁତ୍ ହେବ । ଏହା ଦ୍ୱାରା ଆମର ଅର୍ଥନୀତି ମଧ୍ୟ ଆହୁରି ମଜବୁତ୍ ହେବ ବୋଲି ସେ କହିଲେ । ଏହି ଯୋଜନା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଓ ଗଜପତି ସହିତ, ନବରଙ୍ଗପୁର, କୋରାପୁଟ, ରାୟଗଡା ଓ କନ୍ଧମାଳ ଜିଲ୍ଲାରେ ଏହି ଯୋଜନାରେ ବସ୍ ଚାଲିବ । ଗଜପତିରେ ଆଜି ୩୬ଟି ବସ୍‌ ଚାଲିଲା। ଗଜପତିର ୭ଟି ବ୍ଲକର ୧୨୬ଟି ପଞ୍ଚାୟତକୁ ବସ୍‌ ସୁବିଧା ମିଳିଲା । ଏହି ଯୋଜନା ପାଇଁ ଗଜପତିରେ ୬୯ଟି ନୂଆ ବସ୍ ଷ୍ଟପେଜ୍ ତିଆରି କରାଯାଇଛି। ପୂର୍ବରୁ ଥିବା ୬୪ଟି ବସ୍ ଷ୍ଟପେଜ୍‌ର ଉନ୍ନତିକରଣ କରାଯାଇଛି। ଲକ୍ଷ୍ମୀ ଯୋଜନା ମାଧ୍ୟମରେ ଏସବୁ ପଞ୍ଚାୟତରେ ବିକାଶର ନୂଆ ଧାରା ଆରମ୍ଭ ହେଲା ବୋଲି ସେ କହିଥିଲେ । ସେ ପୁଣି କହିଥିଲେ ଯେ ଯୋଗାଯୋଗ ହେଉଛି ବିକାଶର ଆଧାର । ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହିତ ଯୋଡିବ। ଘର ପାଖକୁ ଆସିବ ବସ୍ । ପିଲାଙ୍କୁ ସ୍କୁଲ କଲେଜ ସହିତ ଯୋଡିବ। ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ । ରୋଗୀଙ୍କୁ ହସ୍ପିଟାଲ ଯିବା ପାଇଁ ସୁବିଧା ହେବ । ଲକ୍ଷ୍ମୀ ଯୋଜନା ଘରେ ଘରେ ଖୁସି ଆଣିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଏବେ ଆମ ରାଜ୍ୟରେ ଗାଁର ବିକାଶ ପାଇଁ ‘ଆମ ଓଡିଶା ନବୀନ ଓଡିଶା’ ଚାଲିଛି । ଖୁବ୍ ଶୀଘ୍ର ଗଜପତି ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥିରେ ଗାଁରେ ମିଳିବ ସହରର ସୁବିଧା। ବ୍ୟାଙ୍କିଂ, ଇଣ୍ଟର୍‌ନେଟ, ଡିଜିଟାଲ ଭିତ୍ତିଭୂମି ସବୁର ବିକାଶ ହେବା ସହିତ ଆମ ସଂସ୍କୃତିର ମଧ୍ୟ ପ୍ରସାର ହେବ । ସମସ୍ତଙ୍କ ସହଯୋଗରେ ଏହି କାମ ସବୁ ଠିକ୍‌ ସମୟରେ ଶେଷ ହେବ ଏବଂ ଗଜପତିର ବିକାଶ ଆହୁରି ଉଜ୍ଜଳ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଥିଲେ ଯେ ଓଡିଶାର ସାଢେ ୪ କୋଟି ଲୋକ ମୁଖ୍ୟମନ୍ତ୍ରୀଙ୍କ ପରିବାର । ସେମାନେ ଯେପରି ଭଲରେ ରହିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଚିନ୍ତା କରି ଆସୁଛନ୍ତି । ଓଡିଶାବାସୀଙ୍କ ଉନ୍ନତି ପାଇଁ ନୂଆ ନୂଆ ଯୋଜନା କରୁଛନ୍ତି। ଆଜି ଲକ୍ଷ୍ମୀ ବସ୍ ଯୋଜନା ଗାଁର ଯୋଗାଯୋଗ ବ୍ୟବସ୍ଥାରେ ରୂପାନ୍ତର ଆଣିବ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ କେ. ନାରାୟଣ ରାଓ, ଜିଲ୍ଲା ପରିଷଦର ସଭାପତି ଜି. ତିରୁପତି ରାଓ ଓ ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷା ମାରିୟାମ ରାୟତ ପ୍ରମୁଖ ମତବ୍ୟକ୍ତ କରି ରାଜ୍ୟରେ ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ୱର ଉଚ୍ଚ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.