jayashree

ୱେସ୍କୋର ଘରୋଇକରଣକୁ ନେଇ ବିରୋଧ ପ୍ରଦର୍ଶନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଦେଶରେ ତଥା ରାଜ୍ୟରେ ବିଭିନ୍ନ ବିଭାଗକୁ ଘରୋଇକରଣ କରାଯିବା ପ୍ରକ୍ରିୟା ଜାରି ରହିଛି । ଓଡ଼ିଶାରେ ବିଭିନ୍ନ ବିଭାଗକୁ ଘରୋଇକରଣ କରିବା ପରେ ପାଳି ଆସିଛି ବିଦ୍ୟୁତ୍ ବିଭାଗର । ବିଦ୍ୟୁତ୍ ବିଭାଗକୁ ରାଜ୍ୟ ସରକାର ଟାଟା ପାୱାରକୁ ବିକ୍ରି କରିଦେଉଥିବା ଅଭିଯୋଗ ହେଉଛି । ଏଥିନେଇ ଗତକାଲି ଟିଟିଲାଗଡରେ ୱେସ୍କୋ କର୍ମଚାରୀ, ଶ୍ରମିକ ଓ ଇଞ୍ଜିନିୟରମାନେ ବିରୋଧ ପ୍ରଦର୍ଶନ କରିଛନ୍ତି ।

ୱେସ୍କୋ, ସାଉଥକୋକୁ ରାଜ୍ୟ ସରକାର ଟାଟା ପାୱାରକୁ ବିକ୍ରି କରିବା ପାଇଁ ଯେଉଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି, ଏହାକୁ ପଶ୍ଚିମ ଓଡିଶା ବିଦ୍ୟୁତ କର୍ମଚାରୀ ଇଞ୍ଜିନିୟର୍ସ ଏକତା ମଞ୍ଚ ଟିଟିଲାଗଡ ଶାଖା ପକ୍ଷରୁ ବିରୋଧ କରାଯାଇଛି । ସ୍ଥାନୀୟ ବିଦ୍ୟୁତ୍ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରାଯିବା ସହ ଶ୍ରମିକ ମାରଣ ନୀତି ଚଳିବ ନାହିଁ ବୋଲି ସଂଘ କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି । ଦିନକୁ ଦିନ ବିଦ୍ୟୁତ ଦର ବଢା ଯାଉଥିବା ବେଳେ ଖାଉଟି ଉପରେ ମାଡ ପଡୁଛି । ନିମ୍ନ ସ୍ତରରେ କାର୍ୟ୍ୟ କରୁଥିବା କର୍ମଚାରୀଙ୍କୁ ଲୋକଙ୍କ ସମ୍ମୁଖରେ ଜବାବ ଦେବାକୁ ପଡୁଛି । ବିଦ୍ୟୁତ କାଟ ସସମ୍ୟା ଲାଗି ରହିଛି । କର୍ମଚାରୀଙ୍କୁ ଛୁଟି ଦିନରେ ପଇସା ମିଳୁ ନଥିବା ବେଳେ ସେମାନଙ୍କ ସମସ୍ୟା ଅନେକ ରହୁଛି । କମ୍‌ ସଂଖ୍ୟକ କର୍ମଚାରୀରେ ଏତେ ସେବା ଯୋଗାଇ ଦିଆଯାଉଛି । କିନ୍ତୁ ଏସବୁ ସମସ୍ୟା ସମାଧାନ ପାଇଁ ସରକାର ଆଗଭର ହେଉ ନାହାନ୍ତି । ଅନ୍ୟପକ୍ଷରେ ଘରୋଇକରଣ ପାଇଁ କାହିଁକି ସରକାର ବାରମ୍ବାର ଅଣ୍ଟା ଭିଡୁଛନ୍ତି, ତାହା ବୁଝା ପଡୁନାହିଁ ବୋଲି ସଂଘ କର୍ମକର୍ତ୍ତା ପ୍ରଶ୍ନ କରିଛନ୍ତି । ପୂର୍ବରୁ ସରକାର ବିଦ୍ୟୁତ୍ ବିଭାଗକୁ ଅନେକ ଥର ଘରୋଇକରଣ କରି କ୍ଷତି ସହିଛନ୍ତି । ତଥାପି ବର୍ତ୍ତମାନ ପୁଣି ଥରେ ଘରୋଇ କମ୍ପାନୀ ଟାଟା ପାୱାରକୁ ବିକ୍ରି କରି ବିଭାଗର କର୍ମଚାରୀ, ଶ୍ରମିକମାନଙ୍କ ସହ ସାଧାରଣ ଜନତାଙ୍କ ଠାରୁ କେଉଁ ପ୍ରତିଶ୍ରୁତିର ହିସାବ ନେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଘରୋଇକରଣକୁ ସରକାର ବନ୍ଦ ନକଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ହୀରା ଜେଟିଡି ୱାର୍କର୍ସ ୟୁନୀୟନର ଉପ ସଭାପତି ପି. ଭି. ଆର୍. ରେଡ୍ଡୀ, ହୀରାଖଣ୍ଡ ବିଦ୍ୟୁତ୍ କର୍ମଚାରୀ ସଂଘର ଜୋନାଲ ସେକ୍ରେଟାରୀ ରଞ୍ଜିତ କୁମାର ଲେଙ୍କା, ଡିଭିଜନ ସେକ୍ରେଟାରୀ ସରୋଜ ସାହୁ, ଭବାନୀ ଶଙ୍କର ରଥ, ଦେବର୍ଚ୍ଚନ ସୁନା, ମନୋଜ ପଟ୍ଟନାୟକ, ଜୟନ୍ତ ମହନ୍ତ, ଅମ୍ଳାନ ନାୟକ, ପ୍ରକାଶ ଦାସ, ମାୟାଧର ମହାନନ୍ଦ, ପି. ଶଙ୍କର ରାଓ ସହିତ ସମେତ ବିଦ୍ୟୁତ୍ ବିଭାଗର ଶ୍ରମିକ, କର୍ମଚାରୀ, ଇଞ୍ଜିନିୟର ଯୋଗ ଦେଇଥିଲେ ।

Leave A Reply

Your email address will not be published.