ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ମାରାଥନ ଗସ୍ତ

  • ରାଜେନ୍ଦ୍ର ନାରାୟଣ ସିଂହଦେଓ କ୍ରୀଡାପ୍ରାଙ୍ଗଣ ପାଇଁ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା
  • ଡବ୍ଲୁଓଡିସି ସହାୟତାରେ ନିର୍ମିତ ୧୦୦୦ ସିଟ୍ ବିଶିଷ୍ଟ ନୂଆ ଅଡିଟୋରିୟମର ନୀରିକ୍ଷଣ
  • ଡିସେମ୍ବର ସୁଦ୍ଧା ସରିବ ଭୀମଭୋଇ ମେଡିକାଲ୍ କଲେଜରେ ଖେଳ ପଡିଆ ନିର୍ମାଣ

ବଲାଙ୍ଗିର, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାକୁ ମାରାଥନ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅନୁଧ୍ୟାନ କରିବା ସହ ଭିନ୍ନଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ଅନୁମୋଦନ କରିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଗସ୍ତର ଦ୍ୱିତୀୟ ଦିନରେ ରାଜେନ୍ଦ୍ର ନାରାୟଣ ସିଂହଦେଓ କ୍ରୀଡାପ୍ରାଙ୍ଗଣ ପରିଦର୍ଶନ କରି ଦୁଇଟି ଅଭିନବ କ୍ରୀଡା ବୋଲିଂ ଓଫେନସିଂକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ଶ୍ରୀ ତ୍ରିପାଠୀ । ଜିଲ୍ଲା ପ୍ରଶାସନକୁ ଏକ ବ୍ୟବସ୍ଥିତ ଡିପିଆର ପ୍ରସ୍ତୁତ କରିବାକୁ କହିବା ସହ ଆଗକୁ କ୍ରୀଡା ପ୍ରାଙ୍ଗଣର ଉନ୍ନତିକରଣ ପ୍ରତି ଧ୍ୟାନ ଦେବାକୁ କହିଛନ୍ତି । ଭୀମଭୋଇ ମେଡିକାଲ୍ କଲେଜ ଏବଂ ଡାକ୍ତରଖାନା ପରିଦର୍ଶନ କରିବା ସହ ଡିସେମ୍ବର ସୁଦ୍ଧା ଖେଳ ପଡିଆ ପ୍ରକଳ୍ପ କାମ ସରିବା ନେଇ ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି । ଖେଳ ପଡିଆ ନିର୍ମାଣ ପାଇଁ ପରିଷଦ ପକ୍ଷରୁ ୨ କୋଟି ଟଙ୍କାର ଅନୁଦାନ ଦିଆଯାଇଥିଲା । ଏହାସହ ୫୦ ଶଯ୍ୟା ବିଶିଷ୍ଟ କର୍କଟ ଡାକ୍ତରଖାନାର ନିର୍ମାଣ କାର୍ଯ୍ୟ ମଧ୍ୟ ତତ୍ପରତାର ସହ ସାରିବାକୁ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ମତ ପ୍ରକାଶ କରିଥିଲେ । ଜିଲ୍ଲାର ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟର ସମ୍ମିଳନୀ କକ୍ଷରେ ଆପିକଲ୍ ଦ୍ୱାରା ଆୟୋଜିତ ହୋଇଥିବା ସାକ୍ଷାତ କାର୍ଯ୍ୟକ୍ରମରେ ଜିଲ୍ଲାର ଉଦ୍ୟୋଗୀମାନଙ୍କୁ ଭେଟିବା ସହ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସଫଳ ରୂପାୟନ ବିଷୟରେ ଅବଗତ ହୋଇଥିଲେ । ଓଡିଶା ସ୍କିଲ୍ ଡେଭଲପମେଣ୍ଟ ଅଥରିଟି ଅଧୀନରେ ଥିବା ପାଲାଡିୟମ୍ ଏଜେନ୍ସି ଦ୍ୱାରା “ସ୍ୱକଳ୍ପ” ଶିବିରର ଆୟୋଜନ କରାଯାଇଥିଲା । ଶିବିରରେ ଥିବା ପ୍ରାୟ ୪୮୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ ଦିଆଯାଉଥିବା ତାଲିମ୍ ବିଷୟରେ ବୁଝିବା ସହ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ବାଣ୍ଟିଥିଲେ । ଏହି ଶିବିରରେ ଅଧିକ ମହିଳା ପ୍ରଶିକ୍ଷାର୍ଥୀ ଭାଗ ନେଇଥିଲେ, ଯାହା ସେମାନଙ୍କୁ ଭବିଷ୍ୟତରେ ଏକ ସଫଳ ଉଦ୍ୟୋଗୀ ରୂପେ ଗଢି ତୋଳିବ ବୋଲି ଶ୍ରୀ ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୧୭ରେ ଯୁବ ମହିଳା ଉଦ୍ୟୋଗୀ ଶ୍ରୀମତୀ ମମତା ନାଏକଙ୍କୁ ଭେଟିଥିଲେ ଡବ୍ଲୁଓଡିସି ଅଧ୍ୟକ୍ଷ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧିନରେ ମମତା ନାଏକ ୩୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ କୃଷି ସେବା କେନ୍ଦ୍ର ନିର୍ମାଣ କରି ସ୍ଥାନୀୟ ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ କୃଷି ଯନ୍ତ୍ରପାତି ଯୋଗାଇ ଦେଉଛନ୍ତି । ପଶ୍ଚିମ ଓଡିଶା ବିକାଶ ପରିଷଦର ସହାୟତାରେ ନିର୍ମିତ ହେଉଥିବା ୧୦୦୦ ସିଟ୍ ବିଶିଷ୍ଟ ନୂଆ ଅଡିଟୋରିୟମ ବୁଲି ଦେଖିଥିଲେ । ମହାଲକ୍ଷ୍ମୀନଗରରେ ପରିଷଦର ସହାୟତାରେ ନିର୍ମିତ କଲ୍ୟାଣ ମଣ୍ଡପ ପରିସରରେ ଡ୍ରେନ୍‌ ଓ ଫାଟକ ନିର୍ମାଣର କାର୍ଯ୍ୟକୁ ତଦାରଖ କରିଥିଲେ ପରିଷଦର ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ । ପରିଦର୍ଶନରେ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ଅଜିତ କୁମାର ମିଶ୍ର, ଜିଲ୍ଲାପାଳ ଚଞ୍ଚଲ ରାଣା, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଋଷିକେଶ ଖିଲାରି, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଓ ପଶ୍ଚିମ ଓଡିଶା ବିକାଶ ପରିଷଦର ବୈଷୟିକ ପରାମର୍ଶଦାତା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.