ବଲାଙ୍ଗିର ଜିଲ୍ଲା ଯୋଜନା କମିଟି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସମ୍ମିଳନୀ କକ୍ଷଠାରେ ବଲାଙ୍ଗିର ଜିଲ୍ଲା ଯୋଜନା କମିଟି ବୈଠକ ବଲାଙ୍ଗିର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଲୋକସଭା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଶ୍ରୀମତୀ ଦେବକୀ ସାହୁ, ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂଙ୍କ ସମେତ ଜିଲ୍ଲା ଯୋଜନା କମିଟିର ସମସ୍ତ ସଦସ୍ୟ ସଦସ୍ୟା ଓ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ଵାଗତ କରିବା ସହ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ବୈଠକରେ ବିଗତ ଜିଲ୍ଲା ଯୋଜନା କମିଟିରେ ଗ୍ରହଣ କରାଯାଇଥିବା ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରାଯାଇ ଦୃଢୀକରଣ କରାଯାଇଥିଲା । ବୈଠକରେ ଉପସ୍ଥିତ ବିଧାୟକ ଓ ଜିଲ୍ଲା ଯୋଜନା କମିଟିର ସଦସ୍ୟ ସଦସ୍ୟାମାନଙ୍କ ଦ୍ଵାରା ଉପସ୍ଥାପିତ ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରାଯାଇ ଜିଲ୍ଲାର ସମନ୍ଵିତ ବିକାଶ ଯୋଜନା ଚିଠା ପ୍ରସ୍ତୁତ କରାଯାଇ ସରକାରଙ୍କ ଅନୁମୋଦନ ସକାଶେ ପଠାଯିବା ଉପରେ ଆଲୋଚନା ହୋଇଥିଲା । ଜିଲ୍ଲାରେ ୨୦୨୨ -୨୩ ବର୍ଷ ପାଇଁ ବିଭିନ୍ନ ସେକ୍ଟର ନିମନ୍ତେ ପ୍ରସ୍ତାବିତ ୩୪୩୦୨୪.୧୩ ଟଙ୍କାର ବାର୍ଷିକ ଯୋଜନା ବୈଠକରେ ଅନୁମୋଦନ କରାଯାଇଥିଲା । ୨୦୨୨-୨୩ ବର୍ଷରେ ବିଜୁ କେବିକେ ଯୋଜନା ଜିଲ୍ଲା ସେକ୍ଟର କାର୍ଯ୍ୟଖସଡା ସମ୍ପର୍କରେ ବୈଠକରେ ସବିଶେଷ ଆଲୋଚନା ହୋଇ ଅନୁମୋଦନ କରାଯାଇଥିଲା । ଜଳସେଚନ, ରାସ୍ତା ସଂଯୋଗୀକରଣ, ଭିତ୍ତିଭୂମିର ବିକାଶ ସମ୍ପର୍କରେ ଆଲୋଚନା କରାଯିବା ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ନିମନ୍ତେ ଆବଣ୍ଟିତ ପାଣ୍ଠିର ବିନିଯୋଗ କରାଯାଇ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଟେକ୍ସଟାଇଲ ମିଲ୍‌ ପାଇଁ ୩ଟି ଜାଗା ମଞ୍ଜୁର କରାଯାଇଛି ଏବଂ ଦେଓଗାଁ ଚିନିକଳ ପୁନରୁଦ୍ଧାର ପ୍ରସ୍ତାବ ଅନୁମୋଦନ ପାଇଁ ବିଭାଗକୁ ପଠାଯାଇଛି । ଚିନିକଳ କାର୍ଯ୍ୟକ୍ଷମ ନହେଲେ ଇଥାନଲ ପ୍ଳାଣ୍ଟ ବସେଇବାକୁ ଯୋଜନା ଚାଲିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ପିଆର୍‌ ହାଇସ୍କୁଲ ଖେଳପଡିଆ ଉନ୍ନତିକରଣ ପାଇଁ ପ୍ରସ୍ତାବ ଦିଆଯାଇଛି । କେବିକେ ଅଞ୍ଚଳରେ ଦ୍ଵିତୀୟ କୃଷି ବିଶ୍ଵବିଦ୍ୟାଳୟ ପାଇଁ ଯେଉଁ ପ୍ରସ୍ତାବ ଯାଇଛି, ତାହା ବଲାଙ୍ଗିରରେ ନିର୍ମାଣ ପାଇଁ ଏକ ପ୍ରସ୍ତାବ ଦିଆଯାଇଥିଲା । ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ, ଡାକ୍ତର ଅଭାବ ପୂରଣ, ଡ୍ରେନ ପାଇଁ ଏକ ସ୍ଵତନ୍ତ୍ର ପ୍ୟାକେଜ, ଶିଳ୍ପ ପ୍ରସ୍ତାବ ପାଇଁ ଆଲୋଚନା ହୋଇଛି । ଜଳସ୍ତର ବଢାଇବାକୁ ବୈଠକରେ ଆଲୋଚନା ହେଇଥିଲା । ଲୋୟର ସୁକତେଲ ପାଣି ଆଗଲପୁର ଏବଂ ଲୋଇସିଂହାକୁ ଯୋଗାଣ ଦ୍ଵାରା ପାଣି ସମସ୍ୟା କମିବ ବୋଲି ବିଚାର କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ଅକ୍ଟୋବର ଶେଷ ସୁଧା ୧୦୦୦ରୁ ଅଧିକ ସିସିଟିଭି ଲାଗିବ ବୋଲି ଜିଲ୍ଲାପାଳ କହିଥିଲେ । ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟାମାନଙ୍କ ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ସହକାରୀ ନିର୍ଦ୍ଦେଶକ ସଞ୍ଜୟ କୁମାର ଦୀପ ବୈଠକରେ ଆଲୋଚ୍ୟ ବିଷୟବସ୍ତୁ ଉପସ୍ଥାପନ କରିଥିଲେ ।

Leave A Reply

Your email address will not be published.