ଆବାକସର ଜାତୀୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଗଣିତ ଶିକ୍ଷାଦାନ କରୁଥିବା ଆବାକସ୍ ତରଫରୁ ଏକ ଜାତୀୟସ୍ତରୀୟ ଗଣିତ ଉପରେ ମାନସିକ ଅଭ୍ୟାସ କାର୍ଯ୍ୟକ୍ରମ ରାଉରକେଲାର ଭଞ୍ଜଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଆବାକସ୍‌ର ମୁଖ୍ୟ ମାନସ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତା ଓ ରାଉରକେଲା ଅଧ୍ୟାୟର ମୁଖ୍ୟ ସନ୍ଧ୍ୟାରାଣୀ ସାହୁଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟ, ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା ଅନ୍‌ଲାଇନ ମାଧ୍ୟମରେ ଆମେରିକା ଓ ଲଣ୍ଡନରୁ ପ୍ରାୟ ୪୪୨ଜଣ ଛାତ୍ର ଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ଏଥିପାଇଁ ସେକ୍ଟର ୫ ସ୍ଥିତ ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଗଣିତ ଓ ଅନ୍ୟାନ୍ୟ ବିଷୟରେ ପରୀକ୍ଷା କରାଯାଇଥିଲା । ଏଥିରେ ଯୋଗ ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଯୋଗ୍ୟତା ଭିତ୍ତିରେ ପୁରସ୍କୃତ କରାଯାଇଥିଲା । ଭଞ୍ଜଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରମିକ ନେତା ପ୍ରଶାନ୍ତ ବେହେରା, ଦୀପିକା ବିଦ୍ୟାଳୟର ଅଧ୍ୟକ୍ଷ ପ୍ରବୀଣ କୁମାର ଶର୍ମା, ଦୀପିକା କନିଷ୍ଠ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ଅଞ୍ଜଳି ଶତପଥୀ ଓ ସମାଜସେବୀ ନିହାର ସାମଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାନସିକ ବିକାଶ ଓ ଗଣିତ ପ୍ରତି ଆଦର ବୃଦ୍ଧି ପାଇଵା ସ୍ବଭାବିକ ବୋଲି ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଦେଶର ଦିଲ୍ଲୀ, ମୁମ୍ବାଇ, ଛତିଶଗଡ଼, ରାଞ୍ଚି, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଓଡ଼ିଶାର ରାଉରକେଲା, ଝାରସୁଗୁଡ଼ା, ବ୍ରହ୍ମପୁର, ସୁନାବେଡ଼ା, ଭୁବନେଶ୍ୱର, କୋରାପୁଟ ଆଦି ଅଂଚଳରୁ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଅଶ୍ବିନୀ କାଲୱନୀ ଓ ମେହେକ କାଲୱନୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅର୍ଚ୍ଚନା ମହାନ୍ତି, ମାନିନୀ ଜେନା, ଚମ୍ପାବତୀ ଅମାତ, ଗଣେଶ ଦତ୍ତ, ମାଳତୀ ଟୀକାଦାର, ଲୀଳାବତୀ ମିଶ୍ରଙ୍କ ସହ ୩୦ଜଣ ପ୍ରଶିକ୍ଷକ ଏଥିରେ ଯୋଗ ଦେଇଥିଲେ । ଏହି ଅବସରରେ ଲାଠିକଟା ସ୍ଥିତ ରାଧାକୃଷ୍ଣ ଦୃଷ୍ଟିହୀନ ବିଦ୍ୟାଳୟକୁ ଅନୁଷ୍ଠାନ ତରଫରୁ ୫ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା । ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।

Leave A Reply

Your email address will not be published.