ବଲାଙ୍ଗିର ସାଂସଦଙ୍କ ସଇଁତଲା ବ୍ଲକ ଗସ୍ତ : ଘର ଘର ବୁଲି ମାଟି ସଂଗ୍ରହ ଓ ଲୋକଙ୍କ ସହ ଆଲୋଚନା

ସଇଁତଲା, (ପ୍ରମୋଦ ସେଲମା) : ଆଜି ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ ସଇଁତଲା ବ୍ଲକ ଗସ୍ତରେ ଆସି ବିବିନା ପଞ୍ଚାୟତ ସ୍ଥିତ ଛୋକରବାଞ୍ଜି ଗାଁରେ ପହଂଚିଥିଲେ । ଘର ଘର ବୁଲି ପବିତ୍ର ମୃତ୍ତିକା (ମାଟି) ସଂଗ୍ରହ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗାଁର ମହିଳାମାନେ ସମର୍ଥନ କରିଥିବା ବେଳେ ସଂକୀର୍ତନ କରି ସାଂସଦ ଶ୍ରୀମତୀ ସିଂହଦେଓଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ଏହାପରେ ଗ୍ରାମ ପରିଭ୍ରମଣ ସାରିବା ପରେ ଗାଁ ମଧ୍ୟରେ ବଲାଙ୍ଗିର ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ନେତାଜୀ ଯୁବ ସଂଘ ତରଫରୁ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସାଂସଦ ଲୋକମାନଙ୍କ ବିଭିନ୍ନ ସମସ୍ୟା ଉପରେ ପଚାରି ବୁଝିଥିଲେ । ପୁଣି ଗାଁ ଆସିବି ବୋଲି ଉପସ୍ଥିତ ଜନସାଧାରଣଙ୍କୁ କହିଥିଲେ । ପରେ କରମତଲା ପଞ୍ଚାୟତ ସ୍ଥିତ ତୃଷ୍ଣାପାଲି ଗାଁର ଶହୀଦ ଥବିର ସିଂ ବୁଡ଼େକଙ୍କ ପତ୍ନୀ ରୀନା ବୁଡ଼େକଙ୍କୁ ସମ୍ମାନିତ କରିଥିଲେ । ଗାଁରେ ଶହୀଦ ଥବିରଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ସାଂସଦ ପ୍ରତିଶୃତି ଦେଇଥିଲେ । ଏହାପରେ ସ୍ଥାନୀୟ ରେଲୱେ ଷ୍ଟେସନଠାରେ ସ୍ୱଚ୍ଛ ଭାରତ ସପ୍ତାହ ଅବସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମହେନ୍ଦ୍ର ଠାକୁର, ମୁକେଶ ଜୈନ, ନରସିଂହ ସିଂ, ଦୁଃଖିଶ୍ୟାମ ରଣା, ଦର୍ଶନ ପ୍ରଧାନ, ସୁବାସ ବେହେରା, ଗଦାଧର ବଗର୍ତି, ବବୁଲୁ ବୁଡ଼େକ, ରଞ୍ଜନ ବୁଡ଼େକ, ସରୋଜ ସାହୁ ଦଳୀୟ କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ । ପରେ ରାଜେନ୍ଦ୍ର ନାରାୟଣ ସିଂହଦେଓ ଖେଳ ପଡିଆଠାରେ ଆୟୋଜିତ ସାଂସଦ ଖେଳ ମହୋତ୍ସବ ଅବସରରେ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଏଥିରେ ସାଂସଦ ଶ୍ରୀମତୀ ସିଂହଦେଓ ଯୋଗଦାନ କରି ଉଭୟ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ଖେଳରେ ନେତାଜୀ ଯୁବ ସଂଘ ଓ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!