କପା କିଆରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ମହୁରୁଣ୍ଡି ଗ୍ରାମର ଜଣେ ମହିଳାଙ୍କ ମୃତଦେହ କପା କିଆରୀରୁ ଉଦ୍ଧାର ହୋଇଛି । ଗତ ୩୧ ତାରିଖରେ ମହିଳା ଜଣକ ନିଖୋଜ ଥିବା ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ସୂଚନା ଅନୁଯାୟୀ ମହୁରୁଣ୍ଡି ଗ୍ରାମର ଅନିରୁଦ୍ଧ ସାହାଣୀ କଂସାପଲା ଗ୍ରାମର ଚନ୍ଦ୍ରମଣୀ ଶବରଙ୍କ ଝିଅ ଆଲ୍ଲାଦିନୀ ଶବର(୩୫)ଙ୍କୁ ବାହା ହୋଇଥିଲେ । ତାଙ୍କର ଚାରୋଟି ପୁଅ ଝିଅ । ଅନିରୁଦ୍ଧଙ୍କ କହିବା ଅନୁଯାୟୀ ସେମାନେ ଚାଷ କରି ଭଲ ଭାବରେ ପରିବାର ପ୍ରତିପୋଷଣ କରୁଥିଲେ । ତିନି ମାସ ତଳେ ଦୁହେଁ ସ୍ୱାମୀ ସ୍ତ୍ରୀଙ୍କ ଭିତରେ କୌଣସି ବିଷୟକୁ ନେଇ ବଚସା ହୋଇଥିଲା ଫଳରେ ଆଲ୍ଲାଦିନୀ ଘର ଛାଡି କୁଆଡେ ଚାଲି ଯାଇଥିଲେ ପରେ ନିଜେ ଫୋନ କରି ଘର ଲୋକଙ୍କୁ କହିଥିଲେ ମତେ ଆସି ନେଇଯାଅ ବୋଲି । ଘରକୁ ଫେରି ପୁଣି ସମସ୍ତେ ଭଲ ଭାବରେ ମିଶି ରହୁଥିଲେ । ଗତ ଅଗଷ୍ଟ ମାସ ୩୧ ତାରିଖ ଦିନ ଆଲ୍ଲାଦିନୀ କୁଆଡେ ନିଖୋଜ ହୋଇଯାଇଥିବା ତାଙ୍କ ସ୍ୱାମୀ ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ମହୁରୁଣ୍ଡି ଗ୍ରାମ ନିକଟସ୍ଥ ଭାଲୁଡୁଙ୍ଗରି ଗ୍ରାମର କୁରକୁରୁ ନାଏକ ଏବଂ ରାଶି ବରିହା ସକାଳ ସମୟରେ ନିଜ ଜମି ପଟେ ଆସିଥିବା ବେଳେ ଗୋଟିଏ ମହିଳାଙ୍କ ମୃତଦେହ ନିର୍ବସ୍ତ୍ର ଅବସ୍ଥାରେ କପା କିଆରୀକୁ ଲାଗିଥିବା ଗୋଟିଏ ନାଳ ମଝିରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ମହିଳାଙ୍କ ମୃତଦେହ ଦେଖି ସେମାନେ ଜାଣିପାରିଥିଲେ ଯେ, ମୃତ ମହିଳା ଜଣକ ମହୁରୁଣ୍ଡି ଗ୍ରାମର ଆଲ୍ଲାଦିନୀ ସାହାଣୀ ବୋଲି । ପରେ ତାଙ୍କ ଘର ଲୋକକୁ ଖବର ଦେଇଥିଲେ । ଖବର ପାଇ ଅନିରୁଦ୍ଧ ସାହାଣୀ ଖପ୍ରାଖୋଲ ଥାନାକୁ ଯାଇ ଘଟଣା ବିଷୟରେ ଜଣାଇଥିଲେ । ପରେ ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ପୋଲିସ ଦଳ ସହ ଘଟସ୍ଥଣାଳରେ ପହଞ୍ଚି ଥିବା ବେଳେ କିଛି ସମୟ ପରେ ପାଟଣାଗଡ଼ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା ଏବଂ ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରୀ ଘଟଣାସ୍ଥଳକୁ ପହଞ୍ଚିଥିଲେ । ସାଇଣ୍ଟିଫିକ୍‌ ଟିମ୍‌ ଘଟଣସ୍ଥଳରେ ପହଞ୍ଚି ଶବର ପଞ୍ଚନାମା କରିଥିବା ବେଳେ ଅନୁସନ୍ଧାନୀ କୁକୁରକୁ ମଧ୍ୟ ଘଟଣା ସ୍ଥଳକୁ ଡକାଯାଇଥିଲା । ଏ ବିଷୟରେ ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲିଛି ପୋଷ୍ଟମାର୍ଟମ ରିପୋର୍ଟ ଆସିଲା ପରେ ଜଣାପଡିବ ବୋଲି କହିଥିଲେ ।

Leave A Reply

Your email address will not be published.