ଭଗବାନ ପର୍ଶୁରାମଙ୍କ ପ୍ରତିଛବିକୁ ଅସମ୍ମାନ ପ୍ରତିବାଦରେ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବଲାଙ୍ଗିର ଜିଲ୍ଲାର ପାଟଣାଗଡ ଉପଖଣ୍ଡ ବ୍ଲକ ଛକଠାରେ ଭଗବାନ ପର୍ଶୁରାମଙ୍କ ଏକ ଫଟୋଛବି ସ୍ଥାପନ କରି ଦୀର୍ଘ ବର୍ଷ ଧରି ପୂଜାର୍ଚ୍ଚନା କରାଯାଇ ଆସୁଥିଲା । ଏହି ବ୍ଲକ ଛକରେ ଭଗବାନ ପର୍ଶୁରାମଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରି ତାକୁ “ପର୍ଶୁରାମ ଛକ” ନାମରେ ନାମିତ କରିବାକୁ ଅନେକ ଦିନ ତଳେ ପାଟଣାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦଙ୍କଠାରେ ଏକ ସ୍ମାରକପତ୍ର ପାଟଣାଗଡବାସୀଙ୍କ ଦ୍ଵାରା ଦିଆଯାଇଥିଲା ଏବଂ ବର୍ତ୍ତମାନ ଏହି ଛକକୁ ପର୍ଶୁରାମ ଛକ ନାମରେ ସମସ୍ତେ ଜାଣନ୍ତି । ଅତ୍ୟନ୍ତ କ୍ଷୋଭର ବିଷୟ ଯେ, ଗତ ୧୭.୦୭.୨୦୨୩ ଦିନ ଉପରୋକ୍ତ ସ୍ଥାନରେ ସମସ୍ତଙ୍କ ଅଜାଣତରେ ପ୍ରବାଦ ପୁରୁଷ ସ୍ଵର୍ଗୀୟ ବିଜୁ ପଟ୍ଟନାୟକଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ଭଗବାନ ପର୍ଶୁରାମଙ୍କ ଆସ୍ଥାନ, ଫଟୋଚିତ୍ର, ଧ୍ଵଜ ଇତ୍ୟାଦିକୁ ଅସମ୍ମାନ କରାଯାଇଛି । ଏହି ଅମାନବୀୟ କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ ଏବଂ ହିନ୍ଦୁମାନଙ୍କର ଆସ୍ଥା ଏବଂ ବିଶ୍ୱାସ ପ୍ରତି କୁଠାରଘାତ ସଦୃଶ ବୋଲି ମତପ୍ରକାଶ ପାଇଛି । ଓଡିଶାର ବରପୁତ୍ର ପ୍ରବାଦ ପୁରୁଷ ବିଜୁ ବାବୁ ଆମ ସମସ୍ତଙ୍କ ନମତ୍ସ୍ୟ ଏବଂ ଆମେ ସମସ୍ତେ ତାଙ୍କୁ ଶ୍ରଦ୍ଧା ଏବଂ ଭକ୍ତି କରୁ । ସେହି ମହାନ ବ୍ୟକ୍ତିତ୍ଵଙ୍କ ପ୍ରତିମୂର୍ତ୍ତିକୁ ଏକ ବିବାଦୀୟ ସ୍ଥାନରେ ସ୍ଥାପିତ କରିବା କେବଳ ଭଗବାନ ପର୍ଶୁରାମଙ୍କ ନୁହେଁ, ବରଂ ବିଜୁ ବାବୁଙ୍କ ପ୍ରତି ମଧ୍ୟ ଅସମ୍ମାନ ଏବଂ ଅପମାନ । ଏହି ଘଟଣାକୁ ସଂଜ୍ଞାନକୁ ନେଇ ଉପଯୁକ୍ତ ବିଚାର କରି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଅନ୍ୟତ୍ର ଏକ ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତରିତ କରି ଉକ୍ତ ସ୍ଥାନରେ ଭଗବାନ ପର୍ଶୁରାମଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ ବୋଲି ଆଜି ପଦ୍ମପୁର ବ୍ରାହ୍ମଣ ସମାଜ ସଭାପତି ଜୟନାରାୟଣ ତ୍ରିପାଠୀଙ୍କ ନେତୃତ୍ୱରେ ପଦ୍ମପୁର ଉପଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଚିନ୍ମୟ କୁମାର ପଣ୍ଡା ଦାବୀପତ୍ର ପଠନ କରିଥିବା ବେଳେ ସମ୍ପାଦକ ଚନ୍ଦ୍ର ଶେଖର ପୁରୋହିତ, କୋଷାଧ୍ୟକ୍ଷ ଶାନ୍ତନୁ ପାଣିଗ୍ରାହୀ, ଚନ୍ଦ୍ରଶେଖର ପୁରୋହିତ, ରାମଚନ୍ଦ୍ର ତ୍ରିପାଠୀ, ସନ୍ତୋଷ ଶତପଥୀ, ସତ୍ୟନାରାୟଣ ତ୍ରିପାଠୀ, ପ୍ରମୋଦ ମିଶ୍ର, ଜିତେଶ୍ୱରୀ ଦାଶ, ସହଦେବ ଦେବତା, ଶାନ୍ତିଲତା ମିଶ୍ର, ମଞ୍ଜୁଲତା ପାଢ଼ୀ, ଜ୍ୟୋସ୍ନା କର, ନୁରାବତୀ ପଣ୍ଡା, ତୃପ୍ତିମୟୀ ଦାଶ, ଅମୀୟ ପୁରୋହିତ, ଭରତ ପଣ୍ଡା, ବଳଦେବ ପାଣିଗ୍ରାହୀ, ପ୍ରଫୁଲ୍ଲ ମିଶ୍ର, ତୃପ୍ତିମୟ ତ୍ରୀପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.