ଗଛରୁ ପଡି ଶଯ୍ୟାଶାୟୀ ବେନକେରା ଗାଁର ଦେବରାଜ ବରିହାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଧାଣ୍ଡାମୁଣ୍ଡା ପଞ୍ଚାୟତ ବେନକେରା ଗାଁର ଦେବରାଜ ବରିହା (୬୨) ଘରେ ନିଜ ସ୍ତ୍ରୀ ବାସନ୍ତୀ ବରିହା ଦୁହେଁ ଖୁସିରେ ଥିଲେ । ନିଜ ପୁଅ ତା ପରିବାର ସହ ଦାଦନ ଯାଇଥିବା ବେଳେ ଦୁଇ ପ୍ରାଣୀ ହିଁ ଘରେ ରହି ପର ମୂଳ ଲାଗିବା ସହ ଲଘୁବନଯାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିଲେ । ହେଲେ ଦୁଇମାସ ତଳେ ଲଘୁବନ ଜାତ ଦ୍ରବ୍ୟ ମହୁଲ ଫଳ(ଟୋଲ) ସଂଗ୍ରହ କରୁଥିବା ବେଳେ ଗଛରୁ ପଡ଼ି ଅଣ୍ଟାର ହାଡ଼ ଭାଙ୍ଗି ଯିବାରୁ ଏବେ ଘରେ ଶଯ୍ୟାଶାୟୀ ହୋଇ ପଡ଼ିରହିଛନ୍ତି । ଗଛରୁ ପଡ଼ିଲା ପରେ ଗ୍ରାମବାସୀଙ୍କ ସହାୟତାରେ ପ୍ରଥମେ ପାଟଣାଗଡ ଡାକ୍ତରଖାନା, ପରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତର ଖାନା ଓ ପରେ ବୁର୍ଲା ବଡ଼ ମେଡ଼ିକାଲରେ ଚିକିତ୍ସା କରାଯାଇଥିଲା । ବୁର୍ଲାରେ ୧୫ ଦିନ ରହି ଚିକିତ୍ସା ପରେ ମଧ୍ୟ ଭଲ ନ ହେବାରୁ ଘରକୁ ଫେରି ଖଟରେ ପଡିରହିଛନ୍ତି । ପୁଅ ବହୁ ବି ଦାଦନରୁ ଖାଲି ହାତରେ ଫେରିଥିବା ବେଳେ ଅର୍ଥ ଅଭାବରୁ ଉଚ୍ଚତର ଚିକିତ୍ସା ପାଇଁ ନେଇପାରୁ ନାହାନ୍ତି । ପାଖରେ ବିଜୁ ସ୍ବାସ୍ଥ୍ୟ କାର୍ଡ ଥିଲେ ବି ତାର ବ୍ୟବହାର ଜାଣିନାହାନ୍ତି । ପ୍ରଶାସନ ଦେବରାଜ ବରିହାଙ୍କୁ ଚିକିତ୍ସା ପାଇଁ ସହଯୋଗ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.