jayashree

ମାଟିତଳୁ ଆବିର୍ଭାବ ହେଲା ଶିବଲିଙ୍ଗ : ଦର୍ଶନ ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଜୁରାବନ୍ଦ ଗାଁରେ ଜୈନିକା ଆଦିବାସୀ ସମ୍ପ୍ରଦାୟର ବିଧବା ମହିଳା ପୁରାନ ଭୁଏଙ୍କ ଘରେ ଭୂମି ମଧ୍ୟରୁ ଫୁଟି ବାହାରି ଶିବଲିଙ୍ଗ ଆବିର୍ଭାବ ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ପୁରାନଙ୍କ ଘରକୁ ଆସି ଶିବଲିଙ୍ଗ ଦର୍ଶନ ସହ ପୂଜାର୍ଚ୍ଚନା କରୁଥିବା ଭିଡ଼ ଦେଖିବାକୁ ମିଳୁଛି । ଗତ ମାର୍ଚ୍ଚ ମାସ ସମୟରେ ପୁରାନ ଶୋଇବା ଘରକୁ ଗୋବର ଦ୍ୱାରା ଲିପୁଥିବା ବେଳେ କାନ୍ଥକୁ ଲାଗି ଏକ ଛୋଟିଆ ଆକୃତିର କଳା ରଙ୍ଗର ପଥରକୁ ପ୍ରଥମ କରି ଦେଖିଥିଲେ । ଶିବଲିଙ୍ଗ ଆବିର୍ଭାବ ଘଟଣାକୁ ଲୋକେ ହୁଏତ ବିଶ୍ୱାସ କରିବେ ନାହିଁ ଭାବି ଏକଥା ପୁରାନ କାହାକୁ ଜଣାଇ ନ ଥିଲେ । ତେବେ ପଥରଟିର ଆକାର କ୍ରମଶଃ ବୃଦ୍ଧି ପାଉଥିବା ଦେଖି ଉକ୍ତ ପଥରଟି ସାଧାରଣ ପଥର ନୁହେଁ ବରଂ ଏକ ଶିବଲିଙ୍ଗ ବୋଲି ସେ ନିଶ୍ଚିତ ହୋଇଥିଲେ । ଏହାପରେ ସେ ସାହସ ଜୁଟାଇ କିଛି ଲୋକଙ୍କୁ ଉକ୍ତ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଘଟଣା ସମ୍ବନ୍ଧରେ ଲୋକେ ଅବଗତ ହେବା ପରେ ଶିବଲିଙ୍ଗ ଦର୍ଶନ ଓ ପୂଜା ପାଇଁ କ୍ରମଶଃ ଲୋକଙ୍କ ବିଶେଷ ଭିଡ଼ ବୃଦ୍ଧି ପାଇଥିଲା । ପୁରାନ ଭୂମିହୀନ ହୋଇଥିବା ବେଳେ ତାଙ୍କର ୩ ପୁଅ ଓ ବୋହୁମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ପ୍ରାୟ ଏକ ମାସ ହେବ ଫେରିଛନ୍ତି । ପୁରାନ ତାଙ୍କ ୨ ନାତିଙ୍କୁ ଧରି ଘରେ ରହୁଥିଲେ । ସରକାର ଯୋଗାଇ ଦେଇଥିବା ୪ ଡେସିମିଲ ଡିହରେ ତିଆରି କରିଥିବା ଇନ୍ଦିରା ଆବାସ ଘରେ ଶିବଲିଙ୍ଗ ଆବିର୍ଭାବ ହୋଇଥିବା ପୁରାନ କହିଛନ୍ତି । ପୁରାନଙ୍କ ଭକ୍ତିଭାବରେ ଈଶ୍ୱର ପ୍ରସନ୍ନ ହେବାରୁ ଏଭଳି ଅଲୌକିକ ଘଟଣା ଘଟିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଶ୍ରାବଣ ମାସ ହୋଇଥିବା ଯୋଗୁଁ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଗ୍ରାମବାସୀଙ୍କ ତରଫରୁ ଶ୍ରଦ୍ଧାଳୁଙ୍କ ପାଇଁ ଆବଶ୍ୟକ ଆନୁସଙ୍ଗିକ ସୁବିଧା ସୁଯୋଗ ଉପଲବ୍ଧ କରାଯିବ ବୋଲି ଗ୍ରାମର ନରସିଂହ ଧରୁଆ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.