ସହର ସ୍ଥିତିର ପରିଦର୍ଶନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

-ସହରର ଡ୍ରେନେଜ୍‌ ବ୍ୟବସ୍ଥାକୁ ଅତିଶୀଘ୍ର ବ୍ୟବସ୍ଥିତ କରିବାକୁ ନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଗାମୀ ବର୍ଷାକୁ ଦୃଷ୍ଟିରେ ରଖି ଆଜି ସକାଳେ ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟ ସୋନପୁର ସହରର ବିଭିନ୍ନ ୱାର୍ଡ ପରିଦର୍ଶନ କରି ସହରର ଡ୍ରେନେଜ, ପରିମଳ ତଥା ପିଇବା ପାଣି ବ୍ୟବସ୍ଥା ସ୍ଥିତିର ସର୍‌ଜମିନ ସମୀକ୍ଷା କରିଛନ୍ତି । ଆଜି ସକାଳେ ଜିଲ୍ଲାପାଳ ଶ୍ରୀଯୁକ୍ତ ରାୟ ସହରର ବିଜୁପଟ୍ଟନାୟକ ଛକ ଠାରୁ ବଡ଼ବଜାର ଦେଇ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତା, ଟିକିରି ପଡ଼ା, ତରିଆ ପଡ଼ା ରାସ୍ତାର ଡ୍ରେନେଜ୍‌ ବ୍ୟବସ୍ଥା, ଆମ୍ବେଦକର ଛକ ଠାରୁ ବ୍ଲକ୍‌ ଛକ ମଧ୍ୟରେ ଡ୍ରେନେଜ୍‌ ବ୍ୟବସ୍ଥା ସହିତ ସହରରୁ ଡ୍ରେନ ପାଣି ନିର୍ଗମଣ ନିମନ୍ତେ ରହିଥିବା ମୁଖ୍ୟ ଡ୍ରେନ୍‌ ସ୍ଥିତିର ନିରୀକ୍ଷଣ କରିଛନ୍ତି । ଜନସାଧାରଣଙ୍କୁ ଏକ ସୁସ୍ଥ ଓ ସ୍ୱାସ୍ଥ୍ୟକର ପରିବେଶ ପ୍ରଦାନ କରିବାକୁ କହିବା ସହ ପରିଦର୍ଶନ ସମୟରେ ଉପସ୍ଥିତ ରହିଥିବା ପୌରପରିଷଦ ନିର୍ବାହୀ ଅଧିକାରୀ ସୋନପୁରଙ୍କୁ ଆବଶ୍ୟକୀୟ ଡ୍ରେନେଜ୍‌ ବ୍ୟବସ୍ଥାର ସୁଧାର ନିମନ୍ତେ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି । ବିଭିନ୍ନ ୱାର୍ଡ ବୁଲିବା ସମୟରେ ଜିଲ୍ଲାପାଳ ଶ୍ରୀଯୁକ୍ତ ରାୟ ସ୍ଥାନୀୟ ଅଧିବାସୀଙ୍କ ସହ ଡ୍ରେନେଜ୍‌ ବ୍ୟବସ୍ଥା ସହ ପରିମଳ ଓ ପିଇବା ପାଣି ସମ୍ପର୍କରେ ମଧ୍ୟ ପଚାରି ବୁଝିଛନ୍ତି । ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ତହସିଲଦାର ସୋନପୁର ନବୀନ କିଶୋର ପାଢ଼ୀ, ପୌରପରିଷଦ ନିର୍ବାହୀ ଅଧିକାରୀ ସୂର୍ଯ୍ୟାଂଶୁ ରୁଟଙ୍କ ସହ ପୌରପରିଷଦର ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

18 − eight =