jayashree

ବିଭିନ୍ନ ସଂଗଠନ ଦ୍ୱାରା ‘ଭାରତ ବନ୍ଦ’ ପାଟଣାଗଡ ଉପଖଣ୍ଡରେ ସଫଳ

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନ ଆଜି ପୂରା ଦେଶ କୁ ବ୍ୟାପିଛି । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ସମ୍ପୁର୍ଣ ପ୍ରତ୍ୟାହାର ଦାବୀରେ ୪୦ରୁ ଅଧିକ ଅନେକ କୃଷକ ସଂଗଠନ ଚଳାଇଥିବା ଆନ୍ଦୋଳନରେ ଆଜି ସାମିଲ ହୋଇଛନ୍ତି ଅନେକ ଆଂଚଳିକ ସଂଗଠନ । ସେହି ପରିପ୍ରେକ୍ଷୀ ରେ ବଲାଙ୍ଗିର ଜିଲ୍ଲା ପ୍ରମୁଖ ସହର ପାଟଣାଗଡ ଉପଖଣ୍ଡରେ ମଧ୍ୟ ଭାରତ ବନ୍ଦକୁ ସଫଳ କରିଛନ୍ତି ଚାଷୀ ନେତା ଏବଂ ଅନେକ ସଂଗଠନର ସଭ୍ୟ । ପାଟଣାଗଡରେ ପ୍ରଦେଶ କଂଗ୍ରେସ ତରଫରୁ କିଶୋର ପରିଚ୍ଛା, ପ୍ରକାଶ ପୁରୋହିତ, ରମେଶ ବରିହା, ସିଦ୍ଧାର୍ଥ ମିଶ୍ର, ରଂଜିତ ସାହୁ, ଗୋବିନ୍ଦ ଦୀପ, ରମେଶ ପୁରୋହିତ ପ୍ରମୁଖ ବସଷ୍ଟାଣ୍ଡ ଠାରେ ପ୍ରତିବାଦ କରିଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଅନିଲ ମେହେରଙ୍କ ନେତୃତ୍ୱରେ ଚନ୍ଦନ ସାହୁ, ନୀଳାଚଳ ପଧାନ, ସପନ ମେହେର, ଜୟ ମେହେରଙ୍କ ସହ ଅନେକ କଂଗ୍ରେସ କର୍ମୀ ରାମପୁର ଠାରେ ରାସ୍ତା ଅବରୋଧ କରି କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନିତୀକୁ ଦୃଢ ନିନ୍ଦା କରି ନାରାବାଜି କରିଥିଲେ । ସେହିପରି ଯୋଗୀମୁଣ୍ଡା ଠାରେ ଚାଷୀ ନେତା ଜତି ପଧାନଙ୍କ ନେତୃତ୍ୱରେ ଶତାଧିକ ଚାଷୀ ରାସ୍ତା ଅବରୋଧ କରି ଆନ୍ଦୋଳନରେ ସାମିଲ ଥିଲେ । ବେଲପଡା ଏବଂ ଖପ୍ରାଖୋଲରେ ମଧ୍ୟ କିଛି ଚାଷୀ ଟାୟାର ଜାଳି ରାସ୍ତା ଅବରୋଧ କରି ଆନ୍ଦୋଳନରେ ସାମିଲ ହୋଇଥିଲେ । ଆଦିବାସୀ କଲ୍ୟାଣ ସଂଘ ତରଫରୁ ଗିରିଧାରୀ ଭୋଇ, ନିରଂଜନ ବିଶି, କୃଷକ ସେନା ସଭାପତି ସୌରୀ କୁମାର ସାହୁ, ଜୟ କିଶାନ ଆନ୍ଦୋଳନର ଆବାହକ ସିପୁନ ଖମାରୀ ଆନ୍ଦୋଳନକୁ ସମର୍ଥନ କରି ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ । ଆନ୍ଦୋଳନ କାରଣରୁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡି ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.