jayashree

ଦଧିବାମନ ଜଗନ୍ନାଥ ମନ୍ଦିର ଜମିକୁ ନେଇ କନ୍ଦାଜୁରୀ ଗ୍ରାମରେ ଉତ୍ତେଜନା : ଗଣ୍ଡଗୋଳରେ ଜଣେ ଆହତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା କନ୍ଦାଜୁରୀ ଗ୍ରାମରେ ଥିବା ଦଧିବାମନ ମହାପ୍ରଭୁଙ୍କ ଜମିକୁ ନେଇ ପୂଜକ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ପୂଜକ ପରିବାରଙ୍କ ଆକ୍ରମଣରେ ଜଣେ ଗ୍ରାମବାସୀ ଆହତ ହେବା ପରେ ଗ୍ରାମରେ ଉତ୍ତେଜନା କ୍ରମଶଃ ତୀବ୍ର ହେବାରେ ଲାଗିଛି । ସୂଚନା ମତେ, କନ୍ଦାଜୁରୀ ମୌଜାର ୯୭ ନଂ ଖାତାର ୨୪୬ ପ୍ଲଟ ନଂ ୩୨ ଏକର ଜମିକୁ ଗ୍ରାମର ଚୌହାନ ବଂଶର ସିଂଦେଓ ପରିବାର ଦଧିବାମନ ମହାପ୍ରଭୁଙ୍କୁ ଦାନ କରିଥିଲେ । ସେହିକ୍ରମରେ ଦେବୋତ୍ତର ଜମି ମାଲିକାନା ସିଂହଦେଓ ପରିବାର ଓ ପୂଜକ ପରିବାରଙ୍କ ନାମରେ ରହିଥିଲା । ଇତିମଧ୍ୟରେ ମୂଳଖାତାରୁ ରାଜପରିବାରକୁ ଉଚ୍ଛେଦ କରି ଚଂଚକତା ପୂର୍ବକ ସମସ୍ତ ଜମି ପୂଜକ ପରିବାର ନିଜ ନାମରେ ହାତେଇବାକୁ ସକ୍ଷମ ହୋଇଥିଲେ । ଏକଥା ସିଂହଦେଓ ପରିବାର ଓ ଗ୍ରାମବାସୀ ଜାଣିବା ପରେ କଠୋର ଆଭିମୁଖ୍ୟ ଗ୍ରହଣ ପୂର୍ବକ ପୂଜକ ସୁରେଶ ଚନ୍ଦ୍ର ପଣ୍ଡା ଓ ତାଙ୍କ ପରିବାରକୁ ଦଧିବାମନ ମହାପ୍ରଭୁଙ୍କ ପୂଜାନୀତିରୁ ଅନ୍ତର କରି ନୂତନ ପୂଜକ ନିଯୁକ୍ତ କରିଥିଲେ । ଏଥିସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ ସକାଶେ ବଲାଙ୍ଗିର ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଗ୍ରାମବାସୀ ସେଠାରୁ ମଧ୍ୟ ନିରାଶ ହୋଇଥିଲେ । ଏପଟେ ଦଧିବାମନଙ୍କ ନୀତିକାନ୍ତିରୁ ହଟିବା ପରେ ପୂଜକ ପରିବାର ପ୍ରତିକ୍ରିୟାଶୀଳ ହୋଇ ଗ୍ରାମବାସୀଙ୍କ ବିରୁଦ୍ଧରେ ଥାନାରେ ପାଲଟା ଅଭିଯୋଗ କରିଥିଲେ । ମାମଲା କ୍ରମଶଃ ଗମ୍ଭୀର ରୂପ ନେବା ପରେ ବୁଧବାର ରାତିରେ ପୂଜକ ସୁରେଶ ପଣ୍ଡା ଓ ତାଙ୍କ ଭଣଜା ବିକାଶ ଦାସ ଗ୍ରାମର ନରେଶ ପଧାନଙ୍କୁ ଆକ୍ରମଣ କରିଥିଲେ । ଏଥିରେ ନରେଶ ପଧାନଙ୍କ ହାତ ଭାଙ୍ଗି ଯାଇଥିବା ଜଣାଯାଇଛି । ଏହାର ସମାଧାନ ପାଇଁ ଶତାଧିକ ଗ୍ରାମବାସୀ ଲୋଇସିଂହା ଥାନାର ଦ୍ୱାରସ୍ଥ ହୋଇ ଥାନାଧିକାରୀଙ୍କ ସହିତ ଆଲୋଚନା କରିଥିଲେ ହେଁ କୌଣସି ସୁଫଳ ମିଳି ନଥିଲା । ଗତକାଲି ରାତିରେ ଉତ୍ତେଜିତ ଗ୍ରାମବାସୀ ସମ୍ମିଳିତ ଭାବେ ପୂଜକ ପରିବାରର ବାସଗୃହ ସମ୍ମୁଖରେ ଜମା ହେବାକୁ ଲାଗିଥିବା ବେଳେ ପୂଜକ ସୁରେଶ ପଣ୍ଡା ଓ ତାଙ୍କ ପରିବାର କୌଶଳ କ୍ରମେ ଫେରାର ହେବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି । ଦଧିବାମନ ମହାପ୍ରଭୁଙ୍କ ଦେବୋତ୍ତର ଜମି ବିବାଦରେ ପ୍ରଶାସନିକ ଅସହଯୋଗ ଯୋଗୁଁ ଆଇନକୁ ହାତକୁ ନେବା ପାଇଁ ଗ୍ରାମବାସୀ ସଜବାଜ ହେଉଥିବା ଜଣାପଡ଼ିଛି ।

Leave A Reply

Your email address will not be published.