jayashree

ସମାଧାନ ହେଲା ଜମି ଜାଗା ବିବାଦ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସାନ ବଜାର ରାଉଳସାହି ବାରି ମାଲ ସାନବଜାର କଲେଜ ଯିବା ରାସ୍ତା ବାମପାର୍ଶ୍ଵରେ ଥିବା ଜାଗାକୁ ନେଇ ଦୀର୍ଘ ବର୍ଷ ହେବ ବିବାଦ ଲାଗି ରହିଥିଲା । ଉକ୍ତ ଜାଗାକୁ ନେଇ ରାଉଳସାହିର ପଣ୍ଡା ପରିବାର ଓ ରାଉଳ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା । ମଙ୍ଗଳବାର ସନ୍ଧ୍ୟାରେ ରାଜସ୍ବ ନିରୀକ୍ଷକ ରବୀନ୍ଦ୍ର କୁମାର ପ୍ରଧାନ ଏବଂ ଗଞ୍ଜାମ ଥାନା ସେକେଣ୍ଡ ଅଫିସର କ୍ଷେତ୍ରମୋହନ ସାହୁଙ୍କ ଉପସ୍ଥିତରେ ଉକ୍ତ ଜାଗା ବିବାଦ ସମାଧାନ ହୋଇଥିଲା । ଜାଗା ମାପିବା ବେଳେ ଉଭୟ ପକ୍ଷ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଉକ୍ତ ଜାଗା ପ୍ଲଟ ନଂ ୬୨ ପଟ୍ଟା ନଂ ୧୧୩ ରାଉଳସାହିର ପୂର୍ବ ପୁରୁଷରୁ ସ୍ୱର୍ଗତ ଜଗନ୍ନାଥ ପଣ୍ଡାଙ୍କ ନାମରେ ପଟ୍ଟା ଥିଲା । ତାଙ୍କର ଉତ୍ତରାଧିକାରୀ ତତ୍‌କାଳୀନ ଗଞ୍ଜାମ ଏନ୍‌ଏସି ନଗରପାଳ ସ୍ୱର୍ଗତ ଶରତ ଚନ୍ଦ୍ର ପଣ୍ଡା ଏବଂ ତାଙ୍କ ପୁଅ ସୁଭାଶିଷ ପଣ୍ଡା ଦାବୀଦାର ଥିବା ଜାଗା ମପା ମପି ବେଳେ ଜଣାପଡିଥିଲା । ଜାଗା ମପା ମପି ବେଳେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା । ପୂର୍ବରୁ ସେଠାରେ ଉପସ୍ଥିତ ଥିବା ସେକେଣ୍ଡ ଅଫିସର ଶ୍ରୀ ସାହୁ ପରିସ୍ଥିତି ସମ୍ଭାଳି ଥିଲେ । ତହସିଲ ପ୍ରଶାସନ ପକ୍ଷରୁ ଜାଗା ଚିହ୍ନଟ କରି ପୂର୍ବତନ ଚେୟାରମ୍ୟାନ ସ୍ୱର୍ଗତ ପଣ୍ଡାଙ୍କ ପୁଅଙ୍କୁ ଦାବୀଦାର ବୋଲି ଘୋଷଣା ହୋଇଥିଲା । ଉକ୍ତ ଜାଗା ବିବାଦ ସିଭିଲ କୋର୍ଟରେ ମଧ୍ୟ ବିଚାରଧୀନ ହୋଇ ଶ୍ରୀ ପଣ୍ଡାଙ୍କ ସପକ୍ଷରେ ଯାଇଥିବା ଜଣାପଡିଛି । ପ୍ରକାଶ ଯୋଗ୍ୟ ଯେ, ଉକ୍ତ ଜାଗା ବିବାଦ ନେଇ ଉଭୟ ପକ୍ଷ ଗଞ୍ଜାମ ଥାନାର ଦ୍ୱାରସ୍ଥ ହୋଇଥିଲେ । ଫଳରେ ଥାନା ଆଇଆଇସି ଉଭୟ ପକ୍ଷକୁ ଆବଶ୍ୟକ କାଗଜପତ୍ର ତଥା ଡକ୍ୟୁମେଣ୍ଟ ଯୋଗାଡ଼ ନିମନ୍ତେ ଏକ ମାସ ସମୟ ଦେଇଥିଲେ । ଗତକାଲି ପୁଣି ରାଜସ୍ୱ କାର୍ଯ୍ୟାଳୟ ପକ୍ଷରୁ ଡିମାର୍କେସନ କରାଯାଇ ଉକ୍ତ ଜାଗା ପଣ୍ଡା ପରିବାରକୁ ହସ୍ତାନ୍ତର କରାଯାଇଥିବା ଆର୍‌ଆଇ ରବୀନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.