ମର୍ମନ୍ତୁଦ ସଡକ ଦୁର୍ଘଟଣା : ୫ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର – ସମ୍ବଲପୁର ଜାତୀୟ ରାଜପଥ ନମ୍ବର ୨୬ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଛୁଇବନ୍ଧ ସ୍ଥିତ ସୋନୁ ମୋଟର ସମ୍ମୁଖରେ ମର୍ମନ୍ତୁଦ କାର ଦୁର୍ଘଟଣାରେ ୫ଜଣଙ୍କ ଶୋଚନୀୟ ଭାବେ ମୃତ୍ୟୁ ହୋଇଥିବା ଖବର ମିଳିଛି । ଦୁର୍ଘଟଣାରେ ଅନ୍ୟ ଦୁଇ ଗୁରୁତର ହୋଇ ଭୀମ ଭୋଇ ଡାକ୍ତଖାନାରେ ଭର୍ତ୍ତି ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ପୁରୁଷ, ଜଣେ ମହିଳା ଓ ୨ ଜଣ ଶିଶୁ ରହିଛନ୍ତି । ସୂଚନା ଅନୁସାରେ, ବଲାଙ୍ଗିର ସହର ଜଗନ୍ନାଥପଡାର ଆତ୍ମଜ ନାଏକ (୨୬), ମା’ ଆରତୀ ନାଏକ, ତାଙ୍କ ଭଉଣୀ କନ୍ଧପାଲି ପଡ଼ାର ଇପ୍ସିତା ସାଏ (୨୪), ଇପ୍ସିତାଙ୍କ ଝିଅ ରିଆ (୪), ସଦାଇପାଲିର ଦିପ୍ତିରଞ୍ଜନ ସାଏ (୩୪), ଦିପ୍ତିରଞ୍ଜନ୍‌ଙ୍କ ପତ୍ନୀ ରଶ୍ମିତା ସାଏ, ଝିଅ ଶ୍ରୀନିକା ସିମନ୍ତିନି ସାଏ(୫) ସମୁଦାୟ ୭ଜଣ ଏକ ସ୍ଵିଫ୍ଟ ଡିଜାର କାରରେ ଆଗଲପୁର ବ୍ଲକ ଡୁଡୁକା ଗାଁରୁ ସମ୍ପର୍କୀୟଙ୍କ ବାହା ଘରେ ଯୋଗଦେଇ ବଲାଙ୍ଗିର ଫେରୁଥିଲେ । ମଙ୍ଗଳବାର ରାତି ପ୍ରାୟ ୧୧ଟାରେ ଛୁଇବନ୍ଧ ନିକଟ ସୋନୁ ମୋଟର ସମ୍ମୁଖରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ କାର ପଛପଟୁ ଧକ୍କା ଦେଇଥିଲା । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଭୀମ ଭୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ଆତ୍ମଜ, ଇପ୍ସିତା, ଶ୍ରୀନିକା ସିମନ୍ତିନି, ଦିପ୍ତିରଞ୍ଜନ ଓ ରୀଆଙ୍କୁ ମୃତ ଘୋଷଣା କରିଛନ୍ତି । ୨ ଆହତଙ୍କ ଅବସ୍ଥା ଅତି ଗୁରୁତର ରହିଛି । ଡାକ୍ତରଖାନାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୁଲିସ ଡାକ୍ତରଖନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.