ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଳାନ୍ସର ରେଡ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ଭବାନୀପାଟଣା କେନ୍ଦ୍ରୀୟ ସମବାୟ ସମିତି ବ୍ୟାଙ୍କ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିସିସିବି ବ୍ୟାଙ୍କ ଆସିଷ୍ଟାଣ୍ଟ ପ୍ରଦୀପ ଚନ୍ଦ୍ରକାରଙ୍କ ଘରେ ଚଢ଼ାଉ ହୋଇଛି । ବିସିସିବି ବ୍ୟାଙ୍କ ସମେତ ବେଳଟୁକୁରୀ ସ୍ଥିତ ୩ଟି ବାସଭବନରେ ଏକକାଳୀନ ଚଢ଼ାଉ କରାଯାଇଛି ।

ସୂଚନାଯୋଗ୍ୟ, ବେଳଟୁକୁରୀ ଗାଁର ପ୍ରଦୀପ ଚନ୍ଦ୍ରକାର ପୂର୍ବରୁ ବେଳଟୁକୁରୀ ପେକ୍ସ ସମ୍ପାଦକ ଭାବେ ନିୟୋଜିତ ହୋଇଥିଲେ । ଗତ କିଛିଦିନ ତଳେ ଚନ୍ଦ୍ରକାର କୋମନା ଭବାନୀପାଟଣା କେନ୍ଦ୍ରୀୟ ସମବାୟ ସମିତି ବ୍ୟାଙ୍କ ଆସିଷ୍ଟାଣ୍ଟ ଭାବେ ନିୟୋଜିତ ହୋଇଥିଲେ । ବିଗତ ଦିନରେ ବେଳଟୁକୁରୀ ଗାଁର ଚନ୍ଦ୍ରକାର ବେଆଇନ ଭାବେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଭବାନୀପାଟଣା ଭିଜିଲାନ୍ସ କୋର୍ଟରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗର ଶୁଣାଣି କରି ସର୍ଚ୍ଚ କରିବାକୁ ଭିଜିଲାନ୍ସ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ସୋମବାର ସକାଳୁ କୋରାପୁଟ ଜୟପୁର ଭିଜିଲାନ୍ସ ଡିଏସ୍‌ପିଙ୍କ ନେତୃତ୍ୱରେ ମାଲକାନଗିରି, କଳାହାଣ୍ଡି ଓ ନୂଆପଡ଼ା ଭିଜିଲାନ୍ସର ମିଳିତ ଟିମ୍ ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏକକାଳୀନ ୪ଟି ସ୍ଥାନରେ ୪ଟି ସ୍ଵତନ୍ତ୍ର ଟିମ୍ ଚଢ଼ାଉ କରିଥିଲା । ଏଥିରେ ନୂଆପଡ଼ା ବ୍ଲକ ବେଳଟୁକୁରୀ ସ୍ଥିତ ୩ଟି ବାସଭବନ ଓ କୋମନା ଡିସିସିବି ବ୍ୟାଙ୍କରେ ଚଢ଼ାଉ ଜାରି ରହିଛି । ଏହି ଚଢ଼ାଉରେ ୩ ଜଣ ଡିଏସ୍‌ପି ଓ ୩ ଜଣ ଇନ୍ସପେକ୍ଟର ସମେତ ବହୁ ଭିଜିଲାନ୍ସ କର୍ମଚାରୀ ନିଯୁକ୍ତ ହୋଇଛନ୍ତି ।

Leave A Reply

Your email address will not be published.

error: Content is protected !!