ଯିବେ ନୀତିନ, ଆସିବେ ରିଷିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯିବେ ନୀତିନ, ଆସିବେ ରିଷିକେଶ । ଆଇପିଏସ୍‌ ସ୍ତରରେ ଅଦଳବଦଳ ପରେ ବଲାଙ୍ଗିର ଏସ୍‌ପି ଭାବେ ରିଷିକେଶ ଖିଲାରୀ ଯୋଗଦେବେ । ଏସ୍‌ପି ନୀତିନ କୁଶଲକରଙ୍କ ଅନ୍ୟତ୍ର ବଦଳି ହୋଇଛି । ଏସ୍‌ପି କୁଶଲକରଙ୍କ ବଲାଙ୍ଗିର ଏସ୍‌ପି ଭାବେ ରହଣି ଅବଧି ମଧ୍ୟରେ ପାଖାପାଖି ୩/୪ ମାସ କାଳ ପୋଲିସ ବିଭାଗର ବିଶେଷ ଦବ୍‌ଦବା ପରିଲକ୍ଷିତ ହୋଇଥିଲା । ବଲାଙ୍ଗିରରେ ଅପରାଧୀଙ୍କ ବର୍ବରତା ଚରମ ସୀମାରେ ପହଂଚିଥିବା ବେଳେ ଏକ୍‌ସନ୍‌ ମୋଡ୍‌କୁ ଆସିଥିଲା ବଲାଙ୍ଗିର ପୋଲିସ୍‌ । ଏସ୍‌ପି ନୀତିନ କୁଶଲକରଙ୍କ କଡା ନିର୍ଦ୍ଦେଶରେ କ୍ଲିନ୍‌ କ୍ରିମିନାଲ୍‌ ମିଶନ ଆରମ୍ଭ ହେଲା । ବଲାଙ୍ଗିରର ଅପରାଧୀ ଜଗତରେ ଆତଙ୍କ ଖେଳିଯାଇଥିଲା ସେତେବେଳେ । ଅପରାଧଖୋର୍‌ ଅପରାଧୀଙ୍କ ଠାରୁ ଆରମ୍ଭ କରି ନିଶା ମାଫିଆ ଏବଂ କୁଚିଆ ମଦ ବେପାରୀଙ୍କୁ ମାଳମାଳ ଗିରଫ୍‌ କରି ଜେଲ୍‌ ହାଜତକୁ ପଠେଇ ଦେଲା ବଲାଙ୍ଗିର ପୁଲିସ୍‌ । ଏମିତି ଅବସ୍ଥା ହେଲା, ଜେଲ୍‌ରେ ଅପରାଧୀଙ୍କ ପାଇଁ ଜାଗା ନିଅଣ୍ଟ ହେବାରେ ଲାଗିଲା । କେବଳ ଏତିକି ନୁହେଁ, ସରକାରୀ ଜାଗାରେ ରହିଥିବା ଅପରାଧୀଙ୍କ ଗଡ ଓ ଆଡ୍ଡା ସବୁକୁ ଚିହ୍ନଟ କରି ବୁଲଡୋଜର ଲଗାଇଦେଲା ପୋଲିସ । ଅପରାଧ ଜଗତ ଥରି ଉଠିଥିଲା, ଛିନ୍‌ ଛତର ହୋଇଗଲେ ଅପରାଧୀମାନେ । ପୁଣି ଯେତେବେଳେ ନକଲି ସାର୍ଟିଫିକେଟ୍‌ କାରବାର୍‌ର ମାଷ୍ଟର ମାଇଣ୍ଡ ସହ ୧୯ ଜଣଙ୍କୁ ଗିରଫ କରି ପୋଲିସ ଜେଲ୍‌ ହାଜତକୁ ପଠାଇଲା, ସେତେବେଳେ ହଇଚଇ ସୃଷ୍ଟି ହୋଇଗଲା ବଲାଙ୍ଗିରରେ । ପୋଲିସ ଉପରେ ଜନତାଙ୍କ ଆସ୍ଥା ବଢିବା ସହ ବଲାଙ୍ଗିର ପୋଲିସକୁ ସେଲୁଟ୍‌ କରିଥିଲା ବଲାଙ୍ଗିର ମାଟି । ଏହା ପରେ ପରେ କ୍ରାଇମ୍‌ ବ୍ରାଂଚର ହାତକୁ ଚାଲିଯାଇଥିଲା ନକଲି ସାର୍ଟଫିକେଟ ମାମଲା । କ୍ରାଇମ୍‌ ବ୍ରାଂଚର ତନାଘନା ତଦନ୍ତ ଦେଖି ଲୋକେ ଭାବୁଥିଲେ ଶହ ଶହ ସଂଖ୍ୟାରେ ନକଲି ସାର୍ଟିଫିକେଟଧାରୀ ଆଇନ ପନ୍‌ଝାରେ ଫସିବେ । କିନ୍ତୁ ଏତେବେଳ ଯାଏଁ ସବୁ ଫୁସ୍‌…. ଲୋକେ ଅନୁଭବ କରି ପାରିଲେ ନାହିଁ କ୍ରାଇମ୍‌ ବ୍ରାଂଚର ଏକ୍‌ସନ୍‌ । ଅଥଚ ଲୋକେ ଏବେ ବି କହୁଛନ୍ତି, ଯଦି ବଲାଙ୍ଗିର ପୁଲିସ ହାତରେ ଏହି ତଦନ୍ତ ଦାୟିତ୍ୱ ରହିଥାନ୍ତା, ତେବେ ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶରେ ନକଲି ସାର୍ଟିଫିକେଟ୍‌ଧାରୀ ନିଶ୍ଚୟ ହରଡଘଣାରେ ପଡିଥାନ୍ତେ । ଏବେ ଏସ୍‌ପି ନୀତିନ କୁଶଲକରଙ୍କର ଅନ୍ୟତ୍ର ବଦଳି ହୋଇ ଯାଇଥିବା ବେଳେ ଆସୁଛନ୍ତି ନୂତନ ଏସ୍‌ପି ରିଷିକେଶ ଖିଲାରୀ । ତେବେ ରିଷିକେଶଙ୍କ କାନୁନ୍‌ ଚାବୁକ୍‌ ବଲାଙ୍ଗିର ଅପରାଧ ଜଗତ ପାଇଁ କେତେ ସାମର୍ଥ୍ୟ ବହନ କରିବ, ତାହାକୁ ନେଇ ସାଧାରଣରେ ବେଶ୍‌ ଚର୍ଚ୍ଚା ।

Leave A Reply

Your email address will not be published.