ସ୍କୁଲ ରୂପାନ୍ତରଣ ଅଭିଯାନର ୩ୟ ପର୍ଯ୍ୟାୟର ତୃତୀୟ ଦିନରେ ୫ଟି ଜିଲ୍ଲାର ୪୪୯ଟି ରୂପାନ୍ତରିତ ହାଇସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍କୁଲ ରୂପାନ୍ତରଣ ଅଭିଯାନର ୩ୟ ପର୍ଯ୍ୟାୟର ତୃତୀୟ ଦିନରେ ଗତକାଲି ୫ଟି ଜିଲ୍ଲାର ୪୪୯ଟି ରୂପାନ୍ତରିତ ହାଇସ୍କୁଲକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ ବାଲେଶ୍ୱର ଜିଲ୍ଲାର ୨୩୩ଟି ହାଇସ୍କୁଲ, ନୟାଗଡ ଜିଲ୍ଲାର ୬୪ଟି, ନୂଆପଡା ଜିଲ୍ଲାର ୫୮ଟି, ସୁନ୍ଦରଗଡ ଜିଲ୍ଲାର ୪୯ଟି ଏବଂ ରାୟଗଡ ଜିଲ୍ଲାର ୪୫ଟି ହାଇସ୍କୁଲ ଅନ୍ତର୍ଭୁକ୍ତ ।

ଏହାଦ୍ୱାରା ତୃତୀୟ ପର୍ଯ୍ୟାୟରେ ତିନି ଦିନରେ ସମୁଦାୟ ୧୧୩୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହୋଇଛି । ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି । ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ ।

ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ୫-ଟିର ଉପଯୋଗ ସଂପର୍କରେ ବୁଝାଇ କହିଲେ ଯେ ବର୍ତ୍ତମାନ ଯୁଗ ହେଉଛି ଟେକ୍‌ନୋଲୋଜିର ଯୁଗ । ସବୁ କ୍ଷେତ୍ରକୁ ଟେକ୍‌ନୋଲୋଜି ପ୍ରଭାବିତ କରୁଛି । ତେଣୁ ପିଲାମାନେ ନୂଆ ନୂଆ ଟେକ୍‌ନୋଲୋଜି ବିଷୟରେ ଜାଣିବାକୁ ଚେଷ୍ଟା କରିବା ଆବଶ୍ୟକ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.