ସଇଁତଲାରେ ଲୋକଉତ୍ସବ ଉଦ୍‌ଘାଟିତ, ଢ଼େମସା ନୃତ୍ୟ ଦର୍ଶକଙ୍କ ମନ ମୋହିଲା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଡାକ ବଙ୍ଗଳା ପରିସରରେ ମା’ ଚଣ୍ଡେଶ୍ୱରୀ ଲୋକଉତ୍ସବ ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମେ ମା’ ଚଣ୍ଡୀଙ୍କ ଠାରେ ପୂଜାର୍ଚ୍ଚନା କରିବା ପାଇଁ ଏକ ଆଦିବାସୀ ନୃତ୍ୟ, ଘଣ୍ଟବାଦ୍ୟ ଓ ବିଭିନ୍ନ ସାଂସ୍କୃତିକ ଦଳ ଉପସ୍ଥିତିରେ ଏକ ବିରାଟ ଶୋଭାଯାତ୍ରା ବାହାରି ଲୋକଉତ୍ସବ ମଣ୍ଡପ ପର୍ଯ୍ୟନ୍ତ ପହଂଚିଥିଲେ । ଏହାପରେ ଉତ୍ସବର ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗଦାନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସଭାରେ ମୁଖ୍ୟବକ୍ତା ଭାବେ ଗୁରୁ ଘାସିରାମ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ ଭୋଇ ଓ ବରିଷ୍ଠ ସମାଜସେବୀ ମଦନଲାଲ ଅଗ୍ରୱାଲ ପ୍ରମୁଖ ଯୋଗଦାନ କରି ଲୋକଉତ୍ସବର ଆଭିମୁଖ୍ୟ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଉତ୍ସବରେ କମିଟିର ସାଧାରଣ ସମ୍ପାଦକ ପ୍ରମୋଦ ବୈଠାରୁ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଉକ୍ତ ସଭାକୁ କମିଟିର ସଭାପତି ଭୀମସେନ ସ୍ୱାଇଁ ଅଧ୍ୟକ୍ଷତା କରିଥିବା ବେଳେ ଡାକ୍ତର ବିଶ୍ୱଜିତ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କମିଟିର କୋଷାଧ୍ୟକ୍ଷ ଭାବେ ପ୍ରଶାନ୍ତ ବଗର୍ତ୍ତି, ସାଂସ୍କୃତିକ ସମ୍ପାଦକ ନାରାୟଣ ଜାଲଙ୍କ ସମେତ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ପରିଶେଷରେ ଆଖପାଖ ଅଞ୍ଚଳର ଯୁବକ ଯୁବତୀମାନଙ୍କ ଦ୍ୱାରା ବିଭିନ୍ନ ଲୋକ କଳା, ଲୋକ ନୃତ୍ୟ ଓ ଲୋକ ବାଦ୍ୟରେ ମଞ୍ଚ ଦୁଲୁକି ଥିଲା । ଏହି ଉତ୍ସବରେ କଳାକାର, ଲୋକମାନଙ୍କ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଛି । ଏହାର ଦ୍ଵିତୀୟ ଅଧିବେଶନ ସନ୍ଧ୍ୟାରେ ଆରମ୍ଭ ହୋଇଥିଲା । ପ୍ରଥମେ ମା’ ଚଣ୍ଡୀଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ କରିଥିଲେ । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ସମବାୟ ବ୍ୟାଙ୍କ ଅଧ୍ୟକ୍ଷ ସ୍ମାରକ ରଞ୍ଜନ ମିଶ୍ର, ଟିଟିଲାଗଡ଼ ପୌରାଧ୍ୟକ୍ଷା ମମତା ଦେବୀ ଜୈନ, ବିଜେପି ନେତା ନବୀନ ଜୈନ, ସଇଁତଲା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ସମାଜସେବୀ ଶ୍ରୀକିଷାନ ଅଗ୍ରୱାଲ ଓ କମିଟି ସମ୍ପାଦକ ପ୍ରମୋଦ ବୈଠାରୁ ପ୍ରମୁଖ ଯୋଗଦାନ କରି କଳା, ସଂସ୍କୃତି ଓ ପରମ୍ପରା ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । ଏଥିରେ ଟଙ୍କଧର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କମିଟି ସଭାପତି ଭୀମସେନ ସ୍ୱାଇଁ ଅଧ୍ୟକ୍ଷତା କରିଥିବା ବେଳେ ବେନ୍ୟାବିନ ତାଣ୍ଡି ଧନ୍ୟବାଦ ପ୍ରଦାନ କରିଥିଲେ । ପରେ କୋରାପୁଟ ଜିଲ୍ଲାର ଢ଼େମସା ନୃତ୍ୟ ବେଶ ଆକର୍ଷଣ ଓ ଦର୍ଶକଙ୍କ ମନ ମୋହି ଥିଲା । ଏହା ସହିତ ପାଟଣାଗଡ଼ର ସାଂସ୍କୃତିକ ଦଳ ଓ ବିଭିନ୍ନ ଅନୁଷ୍ଠାନର ସାଂସ୍କୃତିକ ଦଳଗୁଡିକ ନୃତ୍ୟ ପରିବେଷଣ କରିଥିଲେ । ଏଥିରେ କମିଟିର ସଦସ୍ୟ ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!