ଗରିବ ମଙ୍ଗଲୁ ଖର୍ସେଲ ସରକାରୀ ଆବାସ ଯୋଜନାରେ ସାମିଲ୍‌ ହେବେ କେବେ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଯୋଗ୍ୟ ହିତାଧିକାରୀମାନେ କଳେ ବଳେ କଉଶଳେ ସରକାରୀ ଆବାସ ଯୋଜନାରେ ସାମିଲ୍‌ ହୋଇ ମଜା ନେଉଥିବା ବେଳେ ଯୋଗ୍ୟ ହିତାଧିକାରୀମାନେ ସରକାରଙ୍କ ଏହି ଯୋଜନାରୁ ବଂଚିତ ହେଉଥିବା ଭଳି ଅଭିଯୋଗର ଲମ୍ବା ଲାଇନ୍‌ ଲାଗିଛି । ଏହି କ୍ରମରେ ଗତକାଲି ଜଣେ ଗରିବ ବ୍ୟକ୍ତି ବଲାଙ୍ଗିର ଜିଲ୍ଲାପାଳଙ୍କ ଗ୍ରିଭେନ୍ସ ସେଲ୍‌କୁ ଆସିଥିବା ବେଳେ ଦୀର୍ଘ ବର୍ଷରୁ ଘର ଖଣ୍ଡିଏ ପାଇଁ ଗୁହାରି କରି ଆସୁଥିଲେ ବି ସେ ସରକାରଙ୍କ ଆବାସ ଯୋଜନାରେ ସାମିଲ୍‌ ହୋଇ ପାରିନଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ସଦର ବ୍ଲକ୍‌ ଅନ୍ତର୍ଗତ ମାଧିଆପାଲି ଗ୍ରାମ ପଂଚାୟତର ବୀରମୁଣ୍ଡା ଗାଁର ବାସିନ୍ଦା ଅଟନ୍ତି ମଙ୍ଗଲୁ ଖର୍ସେଲ । ବୟସ ପ୍ରାୟ ୭୨ ହେବ । ତାଙ୍କ କହିବା ଅନୁସାରେ ତାଙ୍କ ପରିବାରରେ କେବଳ ୨ ଜଣ ସଦସ୍ୟ । ସେ ଓ ତାଙ୍କ ବୁଢ଼ୀ । ଝିଅମାନଙ୍କୁ ବାହା କରାଇ ବିଦା କରି ସାରିଥିବା ବେଳେ ତାଙ୍କ ପୁଅ ତା’ ସଂସାର ଧରି ଅଲଗା ରହୁଛି । ସରକାରୀ ଚାଉଳ ଏବଂ ବାର୍ଦ୍ଧକ୍ୟ ଭତ୍ତାରେ ଚଳୁଛି ବୁଢ଼ାବୁଢ଼ୀଙ୍କ ସଂସାର । ତେବେ ସେ ଚାଳ ଛପର ଘରେ ରହୁଥିବା ବେଳେ ବୃଦ୍ଧ ସମୟରେ ଖରା, ବର୍ଷା, ଶୀତର ଦାଉ ତାଙ୍କ ପାଇଁ କାଳ ସାଜିଛି । ସରକାରୀ ଘର ଖଣ୍ଡେ ପାଇବା ପାଇଁ ଦୀର୍ଘ ବର୍ଷରୁ ଗାଁ ସରପଞ୍ଚ, ପଞ୍ଚାୟତ ଇଓ, ବିଡ଼ିଓ ତଥା ଜିଲ୍ଲାପାଳଙ୍କୁ ହାରି ଗୁହାରି କରି ଆସୁଥିଲେ ବି ତାଙ୍କ ଗୁହାରି କେହି ଶୁଣୁ ନାହାନ୍ତି । ଗତକାଲି ନିଜ ଦୁଃଖ ଜଣାଇବାକୁ ବଲାଙ୍ଗିର ଜିଲ୍ଲାପାଳଙ୍କ ଗ୍ରିଭେନ୍ସ ସେଲ୍‌କୁ ମଙ୍ଗଲୁ ପହଂଚିଥିବା ବେଳେ ଜିଲ୍ଲା ପରିଷଦ କାର୍ୟ୍ୟାଳୟକୁ ତାଙ୍କୁ କାଗଜ ଖଣ୍ଡେ ଦେଇ ପଠାଇ ଦିଆଯାଇଥିଲା । ଜିଲ୍ଲା ପରିଷଦ କାର୍ୟ୍ୟାଳୟରେ ସେ ହାରି ଗୁହାରି କରି ଆସିଥିବା କହିଛନ୍ତି । ଏବେ ଦେଖିବାକୁ ବାକି ରହିଲା, ଗରିବ ମଙ୍ଗଲୁ ଖର୍ସେଲ ସରକାରୀ ଆବାସ ଯୋଜନାରେ ସାମିଲ୍‌ ହେବେ କେବେ? ଏଇ ଜୀବନ କାଳ ଭିତରେ ସରକାରୀ ଘର ଖଣ୍ଡେ ତାଙ୍କ ଭାଗ୍ୟରେ ଅଛି କି ନାହିଁ ବୋଲି ସାଧାରଣରେ ପ୍ରଶ୍ନ ହେଉଛି ।

Leave A Reply

Your email address will not be published.

two + nineteen =