ସଡ଼କ ସୁରକ୍ଷା ସଂପର୍କିତ ସୁପ୍ରିମକୋର୍ଟ କମିଟି ସଚିବଙ୍କ ସହ ବୈଠକ

  • ଟ୍ରମା କେନ୍ଦ୍ର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ଯାନବାହାନ ଯାଞ୍ଚ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱାରୋପ
  • ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ପ୍ରାଥମିକ ଚିକିତ୍ସା ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ତାଲିମ ପ୍ରଦାନକୁ ବ୍ୟାପକ କରାଯିବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା ସଂପର୍କିତ ସୁପ୍ରିମକୋର୍ଟ କମିଟି ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ସଡ଼କ ସୁରକ୍ଷା, ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ, ଆହତ ବ୍ୟକ୍ତିମାନଙ୍କ ତୁରନ୍ତ ଚିକିତ୍ସା ଓ ସହାୟତା ପ୍ରଦାନ ଉପରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ନେଇ ସୁପ୍ରିମକୋର୍ଟ କମିଟି ସଚିବ ସଞ୍ଜୟ ମିତଲ ଖୁସିବ୍ୟକ୍ତ କରିଛନ୍ତି ।

ରାଜପଥକୁ ସଂଲଗ୍ନ କରୁଥିବା ରାସ୍ତାରେ ସ୍ପିଡବ୍ରେକର ବ୍ୟବସ୍ଥା, ଯାନବାହାନ ଯାଞ୍ଚ ଏବଂ ନିଶା ସେବନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି । ଦୁର୍ଘଟଣାର ପ୍ରଥମ ଘଣ୍ଟା ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ଦୃଷ୍ଟିରୁ ଆହତ ବ୍ୟକ୍ତିମାନଙ୍କୁ ପ୍ରାଥମିକ ଚିକିତ୍ସାରେ ସହାୟତା ପ୍ରଦାନ କରିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ତାଲିମ ପ୍ରଦାନକୁ ବ୍ୟାପକ କରିବାକୁ ସେ କହିଛନ୍ତି । ଅନ୍ୟପକ୍ଷରେ ଟ୍ରମା କେନ୍ଦ୍ରଗୁଡିକରେ ଭିତ୍ତିଭୂମି ସୁଦୃଢ଼ କରିବା ଉପରେ ସ୍ୱାସ୍ଥ୍ୟ ବିଭାଗଙ୍କୁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

ସେହିଭଳି ସଡ଼କ ସୁରକ୍ଷା ଉପରେ ଗଠିତ ସୁପ୍ରିମକୋର୍ଟ କମିଟି ସଚିବ ଶ୍ରୀ ମିତଲ ଜାତୀୟ ରାଜପଥରୁ ଅବରୋଧ ହଟାଇବା, ଜାତୀୟ ସଡ଼କ କଂଗ୍ରେସର ନୀୟମ ଅନୁଯାୟୀ ମିଡିଆନ ନିର୍ମାଣ, ଦୁର୍ଘଟଣା ଆଶଙ୍କା ଥିବା ସ୍ଥାନ ଚିହ୍ନଟ ଏବଂ ଆବଶ୍ୟକୀୟ ସୂଚନା ଫଳକ ଲଗେଇବା ନିମନ୍ତେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସଡ଼କ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ସବୁ ଦୃଷ୍ଟିରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ବିଭିନ୍ନ ବ୍ୟବସ୍ଥାକୁ ନେଇ ୬୭ ପ୍ରତିଶତ ମାର୍କ ରଖିଥିବା ଶ୍ରୀ ମିତଲ ସୂଚନା ଦେଇଛନ୍ତି ।

ଉକ୍ତ ବୈଠକରେ ରାଜ୍ୟରେ ଦୁର୍ଘଟଣା ଜନିତ ମୃତାହତ ସଂପର୍କରେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ ବୋଥ୍ରା ସୂଚନା ପ୍ରଦାନ କରିଥିଲେ । ଗତ ୨୦୨୧ ମସିହାରେ ରାଜ୍ୟରେ ୧୦୯୮୩ଟି ଦୁର୍ଘଟଣାରେ ୫୦୮୧ ଜଣ ମୃତ୍ୟୁବରଣ କରିଥିବା ବେଳେ ୯୭୮୨ ଜଣ ଆହତ ହୋଇଥିଲେ । ସେହିଭଳି ୨୦୨୨ ମସିହାରେ ୧୧୬୬୩ଟି ଦୁର୍ଘଟଣାରେ ୫୪୬୭ ଜଣ ପ୍ରାଣ ହରାଇଥିବା ବେଳେ ୧୦୩୦୨ ଜଣ ଆହାତ ହୋଇଥିଲେ । ଗତ ବର୍ଷ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଓ ଗଜପତି ଜିଲ୍ଲାରେ ସର୍ବନିମ୍ନ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଥିବା ସେ କହିଥିଲେ ।

ସେହିଭଳି ରକ୍ଷକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଦୁର୍ଘଟଣା ଜନିତ ପ୍ରାଥମିକ ଚିକିତ୍ସାରେ ସହାୟତା ପ୍ରଦାନ କ୍ଷେତ୍ରରେ ୧୧୩୮୯ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି । ବାହକ କାର୍ଯ୍ୟକ୍ରମ ମାଧ୍ୟମରେ ୧୫୩୨ ଜଣ ଭାରିଯାନ ଚାଳକଙ୍କୁ ତାଲିମ ପ୍ରଦାନ କରାଯାଉଛି ଏବଂ ଚତୁର୍ଥ ପର୍ଯ୍ୟାୟରେ ସରକାରଙ୍କ ପକ୍ଷରୁ ଯାଜପୁର ଜିଲ୍ଲାର ୪ ଶହ ଜଣ ଭାରିଯାନ ଚାଳକଙ୍କୁ ମଧ୍ୟ ତାଲିମ ପ୍ରଦାମ କରାଯିବାର ବ୍ୟବସ୍ଥା କରାଯାଇଛି । ସେହିଭଳି ବ୍ରହ୍ମପୁର, କେନ୍ଦୁଝର ଏବଂ ବଣାଇଠାରେ ନୂତନ ଭାବେ ପ୍ରତିଷ୍ଠା କରାଯାଇଥିବା ଗାଡି ଚାଳନା ଏବଂ ତାଲିମ ଗବେଷଣା କେନ୍ଦ୍ରରେ ରାଜ୍ୟର ଏକ ହଜାର ଅନୁସୂଚିତ ଜାତି ଓ ଜନଜାତି ଭାରିଯାନ ଚାଳକଙ୍କୁ ବିଭାଗ ପକ୍ଷରୁ ଚଳିତ ବର୍ଷ ତାଲିମ ପ୍ରଦାନ କରାଯିବ ।

ଅନ୍ୟ ପକ୍ଷରେ ରାଜ୍ୟର ସମସ୍ତ ଆଞ୍ଚଳିକ ଏବଂ ସହାୟକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୈନିକ ହାରାହାରି ୧୮ ଶହ ଜଣଙ୍କୁ ସଡ଼କ ସୁରକ୍ଷା ସଂପର୍କିତ ଅତ୍ୟାଧୁନିକ ତାଲିମ ପ୍ରଦାନ ନିମନ୍ତେ ବ୍ୟବସ୍ଥା କରାଯାଉଥିବା ସଂପର୍କରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ସୂଚନା ଦେଇଥିଲେ ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ, ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ପରିବହନ ବିଭାଗ ଯୁଗ୍ମ କମିଶନର ସଞ୍ଜୟ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.