ପଦୋନ୍ନତି ଅଦାଲତର ସମୀକ୍ଷା ବୈଠକ ଅନୁଷ୍ଠିତ

  • ପଦୋନ୍ନତ ନିୟମରେ ସରଳିକରଣ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସରକାରୀ କର୍ମଚାରୀଙ୍କୁ ସମୟୋଚିତ ପଦୋନ୍ନତି ଦେବା ନିମନ୍ତେ ଚଳିତ ମାସ ପହିଲାରୁ ତିନିଦିନ ଧରି ପଦୋନ୍ନତି ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଶୁଣାଣି ବେଳେ ମିଳିଥିବା ଆପତ୍ତି ଅଭିଯୋଗ ସଂପର୍କିତ ବିଭିନ୍ନ ତଥ୍ୟକୁ ଭିତ୍ତି କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ପଦୋନ୍ନତି ନିମନ୍ତେ ଥିବା ନୀୟମର ସରଳିକରଣ, କ୍ୟାଡର ନିୟମରେ ଯଥାର୍ଥତା ଅବଲମ୍ବନ ଏବଂ ଗୋପନୀୟ ପଞ୍ଜିକାର ସଠିକ ବିବେଚନା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । ଏଥିସହ ପଦୋନ୍ନତି ନିମନ୍ତେ ଅଧିକାରୀଙ୍କ ବିରୁଦ୍ଧରେ ଥିବା ବିଭାଗୀୟ କାର୍ଯ୍ୟାନୁଷ୍ଠାନର ଫଳାଫଳ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ନିକଟରେ ଅନୁଷ୍ଠିତ ପଦୋନ୍ନତି ଅଦାଲତରେ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କଠାରୁ ୧୨୪୧ ଆବେଦନପତ୍ର ଗ୍ରହଣ କରାଯାଇଥିବା ବେଳେ ୧୦୨୧ ଜଣଙ୍କ ଆବେଦନର ଶୁଣାଣି କରାଯାଇ ସେଥିମଧ୍ୟରୁ ୭୮୮ଟି ଆବେଦନକୁ ପଦୋନ୍ନତି ପାଇଁ ଗ୍ରହଣ କରାଯାଇଥିଲା । ଏହି ପଦୋନ୍ନତି ଅଦାଲତରେ ୬ ଜଣ ଅତିରିକ୍ତ ଶାସନ ସଚିବ ଡ. ନିକୁଞ୍ଜ କିଶୋର ସୁନ୍ଦରାୟ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ, ରାଜ କୁମାର ଶର୍ମା ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ, ଦେଓ ରଞ୍ଜନ ସିଂ କଳିଙ୍ଗ ଷ୍ଟାଡିୟମ ସମ୍ମିଳନୀ କକ୍ଷ, ଡ. ମୋନା ଶର୍ମା ଇଡକୋ ସମ୍ମିଳନୀ କକ୍ଷ, ଶ୍ରୀମତୀ ଅନୁ ଗର୍ଗ କୃଷି ଭବନ ଅଡିଟୋରିୟମ ଏବଂ ସତ୍ୟବ୍ରତ ସାହୁ ଏସ୍‌ଆଇଆର୍‌ଡି ସମ୍ମିଳନୀ କକ୍ଷରେ ଉପସ୍ଥିତ ରହି ଅଭିଯୋଗର ଶୁଣାଣି କରିଥିଲେ । ଆଜିର ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!