କବୟିତ୍ରୀ ସବିତା ମହରାଙ୍କ କବିତା ସଂକଳନ ‘ସମ୍ମୋହନ’ ଲୋକାର୍ପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କବୟିତ୍ରୀ ସବିତା ମହରାଙ୍କ ତୃତୀୟ କବିତା ସଂକଳନ ‘ସମ୍ମୋହନ’ ସ୍ଥାନୀୟ ସାମ୍ବାଦିକ ଭବନରେ ଏକ ଭବ୍ୟ ସମାରୋହରେ ଲୋକାର୍ପିତ ହୋଇଯାଇଛି । ସଭା ଆରମ୍ଭରେ କବୟିତ୍ରୀ ଶ୍ରୀମତୀ ମହରା ନିଜ ମନର କଥା ଉଚ୍ଚାରଣ କରିଥିବା ବେଳେ ଉନ୍ମୋଚିତ କବିତା ସଂକଳନର କିଛି କବିତା ଆବୃତ୍ତି କରିଥିଲେ କବି ରାଜୀବ ଲୋଚନ ଆଚାର୍ଯ୍ୟ, ପୁସ୍ତମ ଜୁଆଡି, ସସ୍ମିତା ନେପାକ ଓ ରାଜୀବ ପ୍ରସାଦ ଭୋଇ । ‘ସମ୍ମୋହନ’ କବିତା ସଂକଳନର ଆବେଗିକ ଆଲୋଚନା କରିଥିଲେ କବି ରତ୍ନମୟ ତ୍ରିପାଠୀ । ଏହି ଲୋକାର୍ପଣ ଉତ୍ସବରେ ବରେଣ୍ୟ ଅତିଥି ଭାବେ କଥାଶିଳ୍ପୀ ମଳୟ ମିଶ୍ର, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟା ଡା. ଜ୍ୟୋତିର୍ମୟୀ ସାହୁ, ଆନନ୍ଦପୁର ସାହିତ୍ୟ ସଂସଦର ସମ୍ପାଦକ ପ୍ରଫେସର ଗଦାଧର ମିଶ୍ର, ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ ଯୋଗଦାନ କରି ପୁସ୍ତକର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିବା ବେଳେ ମଞ୍ଚ ସଞ୍ଚାଳନ କରିଛନ୍ତି କବି ସନ୍ଦୀପ କୁମାର କୁଅଁର । ଉନ୍ମୋଚିତ କବିତା ସଂକଳନରେ ଯେଉଁ କବିତା ଗୁଡ଼ିକ ସ୍ଥାନୀତ ହୋଇଛି, ସବୁଥିରେ ପ୍ରେମର ମଧୁର ବାସ୍ନା ବାରି ହୋଇ ପଡ଼ୁଥିବା ବେଳେ ଏକ ଅପୂର୍ବ ସମର୍ପଣର କଥା ସ୍ପଷ୍ଟ ହୋଇ ପାରିଛି । ସାମ୍ବାଦିକ ବିଭୁ କଲ୍ୟାଣ ଗଡତ୍ୟାଙ୍କ ଧନ୍ୟବାଦ ଅର୍ପଣ ପରେ ମଧ୍ୟାହ୍ନ ବିରତି ରଖାଯାଇଥିବା ବେଳେ ଦ୍ୱିତୀୟ ଅଧିବେଶନରେ ବହୁଭାଷୀ କବିତା ଆସର ଅନୁଷ୍ଠିତ ହେବ । ଏଥିରେ ବରେଣ୍ୟ ଅତିଥି ଭାବେ କବି ଭାଗିରଥୀ ମିଶ୍ର ଏବଂ ସଂଯୋଜକ ଭାବେ କବି ରାଜୀବ ଲୋଚନ ଆଚାର୍ଯ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

jittmm
Leave A Reply

Your email address will not be published.